କିଡ୍ନୀ ଆକ୍ରାନ୍ତଙ୍କୁ କ୍ରେଡିଟ୍ କୋ ଅପରେଟିଭର ସହାୟତା
କେନ୍ଦ୍ରାପଡ଼ା: ଡେରାବିଶ ବ୍ଲକ କାଉପଡା ପଞ୍ଚାୟତ ନରଣପୁର ଗ୍ରାମର ହରେକୃଷ୍ଣ ସାହୁଙ୍କ ପୁଅ ରଞ୍ଜନ(୩୫) ଦୀର୍ଘ ବର୍ଷ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆର୍ଥକ ଦୂରାବସ୍ଥା ମଧ୍ୟରେ ଗତି କରୁଥିବା ରଞ୍ଜନକୁ କେନ୍ଦ୍ରପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ସହାୟତା କରାଯାଇଛି । ସୋସାଇଟିର ସଭାପତି ତଥା ବିଶିଷ୍ଟ ସମବାୟବିତ ପ୍ରମୋଦ ସାହୁ ଆଜି ସକାଳେ ରଞ୍ଜନଙ୍କ ଘରେ ପହଞ୍ଚô ତାଙ୍କୁ ଅର୍ଥରାଶି ପ୍ରଦାନ କରିଥିଲେ । ଶ୍ରୀ ସାହୁଙ୍କ ସହ ମୁଖ୍ୟ ଶାଖା ପରିଚାଳକ ପଙ୍କଜ ମଲ୍ଲିକ, କର୍ମଚାରୀ ରାଜକିଶୋର କର ଓ ସମାଜସେବୀ ଲିଜାରାଣୀ କର ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ଶ୍ରୀ ସାହୁ ନିଜ ପ୍ରତିକ୍ରିୟା ରଖି ଗରିବ ଅସହାୟ ବ୍ୟକ୍ତିଙ୍କ ସମେତ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସୋସାଇଟି ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ । ରଞ୍ଜନ ଦୀର୍ଘ ବର୍ଷ ହେବ କିଡିନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ, ପ୍ରତ୍ୟେକ ମାସରେ ୧୦ ରୁ ୧୨ ଥର କଟକକୁ ଯାଇ ଡାଇଲୋସିସ କରାଇଥାନ୍ତି । ବାପା ହରେକୃଷ୍ଣ ଓ ମାଆ କମଳାଙ୍କ ସମେତ ସ୍ତ୍ରୀ ସୁବାସିନୀ, ୧୦ ବର୍ଷୀୟ ଝିଅ ଓ ୭ବର୍ଷର ପୁଅଙ୍କ ଭରଣପୋଷଣ ସମ୍ପୁର୍ଣ୍ଣ ରଞ୍ଜନଙ୍କ ଉପରେ ନିର୍ଭର କରୁଥିଲା । ଦହିବରା ବେପାର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ରଞ୍ଜନଙ୍କ ଉପରେ ଯେପରି ହଠାତ କଳା ବାଦଲ ଘୋଟି ଆସିଥିଲା । ଭାଗ ଚାଷ କରି ଖୁସିରେ ପ୍ରତିପୋଷଣ କରୁଥିବା ବେଳେ, ହଠାତ କିଡିନୀ ରୋଗରୁ ସୁସ୍ଥ ହେବା ପାଇଁ ମାସିକ ୧୦ ରୁ ୧୨ ହଜାର ଟଙ୍କା ଯୋଗାଡ କରିବା ପରିବାର ପାଇଁ ସଂପୁର୍ଣ୍ଣ ଅସମ୍ଭବ ହୋଇ ପଡିଛି । ଘରର ସମସ୍ତ ଆସବାବପତ୍ର ବନ୍ଧା ପକାଇ କିମ୍ବା ବିକ୍ରି କରି ପୁଅକୁ ଆରୋଗ୍ୟ କରିବା ପାଇଁ ହରେକୃଷ୍ଣ ଅର୍ଥ ବ୍ୟୟ କରୁଥିବା ବେଳେ ଅନ୍ୟଠୁ ଧାର କରଜ କରି ଏକ ପ୍ରକାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଏପରି ବିପଦ ସମୟରେ ସୋସାଇଟି ପକ୍ଷରୁ ପ୍ରଦାନ କରାଯାଇଥିବା ସହାୟତା ପାଇଁ ପରିବାର ଓ ଗ୍ରାମବାସୀ ପ୍ରମୋଦଙ୍କୁ ସାଧୁବାଦ ଜଣାଇଛନ୍ତି ।