ଶ୍ରୀଜଗନ୍ନାଥ ଆରାଧନା ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ: ଆଦ୍ୟ ସଂସ୍କୃତିର ବୈଶାଖ ମାସ ପଣା ସଂକ୍ରାନ୍ତିଠାରୁ ନୂଆବର୍ଷ ଆରମ୍ଭ ହୋଇଥାଏ । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଏହାକୁ ‘ଉକ୍ରଳୀୟ ଚେତନା ଦିବସ’ ଭାବରେ ଗ୍ରହଣ କରାଯାଇ ଆସୁଅଛି । ଏହି ଦିବସ ପାଳନ ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀବାଲଗୋପାଲ ମନ୍ଦିର ସଭାଗୃହରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ ପ୍ରସ୍ତାବମାନ ଗ୍ରହଣ କରାଯାଇଛି । ମହା ବିଷୁବ ସଂକ୍ରାନ୍ତିରେ ଇଚ୍ଛାପୁର କୁଣ୍ଡିବାଗ ଶ୍ରୀଜଗନ୍ନାଥ ମନ୍ଦିର ସେବକ କାହ୍ନୁଚରଣ ଦାଶ ଓ ସନାତନ ସାହୁଙ୍କ ତତ୍ତ୍ୱାବଧାନରେ ଶ୍ରୀଜଗନ୍ନାଥଙ୍କ ଷୋଡ଼ଶ ଉପଚାର ପୂଜା, ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସହ ନେତ ଉଡ଼ାଣ ହେବାକୁ ଧାର୍ଯ୍ୟ କରାଯାଇଛି । ପୂର୍ବାହ୍ଣରେ ପ୍ରଚାର ସମିତି ପକ୍ଷରୁ ଧାମନଗର ବ୍ଲକସ୍ଥ ନାରାୟଣପୁର ଗ୍ରାମରେ ମହାବୀର ଶ୍ରୀହନୁମାନ ଜୟନ୍ତୀ ସମାରୋହରେ ସଂକୀର୍ତ୍ତନ, ମହାବୀର ହନୁମାନ ଓ ଶ୍ରୀଜଗନ୍ନାଥଙ୍କ ତଥ୍ୟ ତତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଇ ଏକ ଶାଖା ଗଠନ କରିବାକୁ ସ୍ଥିର କରଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଭଞ୍ଜନ ରାହୁଳଙ୍କ ତତ୍ତ୍ୱାବଧାନରେ ସମାହିତ ହେବାକୁ ସ୍ଥିର କରାଯାଇଛି । ଅପରାହ୍ଣ ୫ ଘଟିକାରେ ଭଦ୍ରକ ବାଇପାସ୍ସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ଧାର୍ମିକ ଆଲୋଚନା ସମାରୋହ କରାଯିବାକୁ ସ୍ଥିର ହୋଇଛି । ଏହି ବୈଠକରେ ସମିତିର ଆବାହକ ସେବକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥ ସ୍ତୁତି ପାଠ ପୂର୍ବକ ପୂର୍ବ ବୈଠକର ବିବରଣୀ ଉପସ୍ଥାପିତ କରିଥିଲେ । ଏହି ବୈଠକରେ ସହଆବାହକ ବାବୁଲାଲ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ଦାସ, ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର, ଅଧ୍ୟକ୍ଷ ଡ. କୃପାସିନ୍ଧୁ ନାୟକ, ଲକ୍ଷ୍ମୀଧର ଖଟୁଆ, ଉପଦେଷ୍ଟା ସନେଇ ଶିଅଳ, ବଳାରାମ ମହାନ୍ତି, କାହ୍ନୁ ଚରଣ ଦାସ, ସନାତନ ସାହୁ, ବୀରନାରାୟଣ ଦାଶ, କାଶୀନାଥ ପଣ୍ଡା ପ୍ରମୁଖ ସେବକ ଆଲେଶଚନାରେ ଭାଗ ନେଇଥିଲେ ।