ରାଜସ୍ୱ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ
ଭଣ୍ଡାରିପୋଖରୀ : ଏହି ଥାନା ଅନ୍ତର୍ଗତ ଖଡିସିଙ୍ଗା ଗ୍ରାମରେ ରାଜସ୍ୱ କର୍ମଚାରୀଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ଖଡ଼ିସିଙ୍ଗା ଗ୍ରାମରେ ବନସୁରକ୍ଷା ଗୃହ ନିର୍ମାଣ ପାଇଁ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁରୀ ରାଜସ୍ୱ ନିରୀକ୍ଷକ ବ୍ରଜକିଶୋର ଜେନା, ସୁପରଭାଇଜର ସତ୍ୟରଞ୍ଜନ ମଲ୍ଲିକ, ଅମିନ ଓ ପୁଲିସ ଦଳ ଗ୍ରାମର ରକ୍ଷିତ ଖାତା ନଂ ୩୬୫ ଅଧିନ ପ୍ଲଟ ନଂ ୮୧୮ ରକବା ଏ୦.୨୩ ଡିସିମିଲ କିସମ ଗ୍ରାମ୍ୟଜଙ୍ଗଲ ଜମିକୁ ଗତ ଶୁକ୍ରବାର ସକାଳେ ମାପଚୁପ କରିବାକୁ ଯାଇଥିଲେ । ଏହାକୁ ବିରୋଧ କରି ଗ୍ରାମର କେତେକ ବ୍ୟକ୍ତି ମାପଚୁପକୁ ବାଧା ଦେବା ସହ ଆକମ୍ରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସମ୍ପର୍କରେ ତହସିଲଦାର ୨୫ ତାରିଖରେ ପତ୍ର ସଂଖ୍ୟା ୧୭୫୩ ଯୋଗେ ପୁଲିସକୁ ମାମଲା ଋଜୁ ପାଇଁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ଆଧାରରେ ୨୦୧/୨୫ନଂ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।