ସିମୁଳିଆକୁ ଧୋକା ପଣ୍ଡା-ପାଣିଗ୍ରାହୀ ମେଣ୍ଟ
simulia politics
ଭୁବନେଶ୍ୱର : ସିମୁଳିଆ ରାଜନୀତି ଏବେ କଡ଼ ଲେଉଟାଇଛି । ଦିନେ ପଣ୍ଡା ଓ ପାଣିଗ୍ରାହୀଙ୍କ କବଜାରେ ଥିଲା ସିମୁଳିଆ । ସବୁବେଳେ ଦୁଇ ପରିବାର ଭିତରେ ହିଁ ଲଢେ଼ଇ ହେଉଥିଲା । ସିମୁଳିଆବାସୀ ମଧ୍ୟ ଦୁଇ ପରିବାର ପାଇଁ ଦିଫାଳ ହୋଇଯାଇଥିଲେ । କିନ୍ତୁ ଦୀର୍ଘ ବର୍ଷ ପରେ ପାଣିଗ୍ରାହୀ ପରିବାର ଟିକେଟରୁ ବଞ୍ôଚତ ହେବାରୁ ଅସଲ ସ୍ୱରୂପ ସାମ୍ନାକୁ ଆସିଛି । ଦୁଇ ପରିବାରର କ୍ଷମତା ଲଢେ଼ଇରେ କେବଳ ସାଧାରଣ ଜନତା ହନ୍ତସନ୍ତ ହେଉଥିଲେ ବୋଲି ସିମୁଳିଆରେ ଚର୍ଚ୍ଚା ହେଉଛି । ଏବେ ବିଜେପିରୁ ପଦ୍ମଲୋଚନ ପଣ୍ଡା ଲଢୁଥିବାବେଳେ ବିଜେଡ଼ି ଛାଡ଼ିଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଉଭୟଙ୍କ କର୍ମୀମାନେ ଚକିତ ହୋଇ ଯାଇଛନ୍ତି । ଏତେଦିନ ଯାଏଁ କେବଳ କ୍ଷମତା ପାଇଁ ସାଧାରଣ କର୍ମୀଙ୍କୁ ହିଁ ସେମାନେ ବଳି ପକାଉଥିଲେ ବୋଲି ଖଟିରେ ଆଲୋଚନା ହେଉଛି ।
୧୯୮୦ ଦଶକରୁ ସିମୁଳିଆ ପଣ୍ଡା-ପାଣିଗ୍ରାହୀ ପରିବାର ହାତରେ ରହିଆସିଛି । ୧୯୮୦, ୧୯୯୦, ୨୦୦୦, ୨୦୦୯ରେ ପର୍ଶୁରାମ ପାଣିଗ୍ରାହୀ ବିଧାୟକ ହୋଇଥିଲେ । ୨୦୧୪ ଓ ୨୦୧୯ରେ ବିଧାୟକ ହେବାର ସୁଯୋଗ ପାଇଥିଲେ ତାଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅପରପକ୍ଷରେ ୧୯୯୫ ଓ ୨୦୦୪ରେ ପଦ୍ମଲୋଚନ ପଣ୍ଡା ବିଧାୟକ ହୋଇଥିଲେ । ଗତ ସାଢେ଼ ଚାରି ଦଶନ୍ଧି ଧରି ଦୁଇ ପରିବାର ହାତରେ କ୍ଷମତା ଥିବାରୁ ସିମୁଳିଆବାସୀ ନୂଆ ମୁହଁ ଖୋଜୁଥିଲେ । ଏହାକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ସମାଜସେବୀ ତଥା ରାଜନେତା ଶଶୀଭୂଷଣ ସାହୁଙ୍କ ପତ୍ନୀ ସୁବାସିନୀ ସାହୁଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ବିଜେଡ଼ି ଶିବିର ଉତ୍ସାହିତ ହୋଇଯାଇଥିଲେ । ସେପଟେ ପଦ୍ମଲୋଚନଙ୍କ ବଦଳରେ ନୂଆ ମୁହଁ ପାଇଁ ବିଜେପି ନେତାମାନେ ଚାହୁଁଥିଲେବି ସେଭଳି ହୋଇନଥିଲା । ତେବେ ଶଶୀଙ୍କୁ ହରାଇବା ପାଇଁ ଘରେ ବସି ଗୋଟିଚାଳନା କରୁଥିଲେ ଜ୍ୟୋତି । ଏମିତିକି ଦଳ ତାଙ୍କୁ ବହିଷ୍କାର କରିବାକୁ ବି ଯୋଜନା କରିଥିଲା । ଏକଥା ଜାଣିବା ପରେ ଜ୍ୟୋତି ନିଜ ଆଡୁ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏବେ ପଣ୍ଡା ଓ ପାଣିଗ୍ରାହୀ ପରିବାର ଏକାଠି ହୋଇଥିବାରୁ ସିମୁଳିଆର ଅଙ୍କ ବଦଳିଯାଇଛି । ଏମାନଙ୍କ ଉପରେ କ୍ଷୁବ୍ଧ କର୍ମୀ କୁଆଡ଼କୁ ଢଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।