ରାଜଧାନୀରେ ଶୁଭିଲା ଯୁଦ୍ଧ ସାଇରନ
ଭୁବନେଶ୍ୱର: ସମୟ ଅପରାହ୍ନ ୪ଟା । ହଠାତ୍ ଜନଗହଳି ପୂର୍ଣ୍ଣ ରାଜମହଲ ଛକରେ ଜୋର ଶବ୍ଦ କରି ବାଜିଥିଲା ଯୁଦ୍ଧ ସାଇରନ । ପ୍ରାୟ ୫ ମିନିଟ ଧରି ଏହି ସାଇରନ ବାଜିବା ପରେ ରାସ୍ତାରେ ଯାଉଥିବା ଲୋକମାନେ ତୁରନ୍ତ ପାଖରେ ଥିବା ଉଚ୍ଚ ଅଟ୍ଟାଳିକାଗୁଡିକୁ ପ୍ରବେଶ କରି ଯାଇଥିଲେ । ଏହାର ମାତ୍ର କେଇ ସେକେଣ୍ଡ ପରେ ରାସ୍ତାର ଗୋଟାଏ ପାର୍ଶ୍ୱରେ ଆରମ୍ଭ ହୋଇଯାଇଥିଲା ବୋମାମାଡ । କେହି କିଛି ବୁଝିବା ପୂର୍ବରୁ ପଡୋଶୀ ପାକିସ୍ତାନର ଯୁଦ୍ଧ ବିମାନଗୁଡିକ ତୁହାକୁ ତୁହା ବୋମାମାଡ କରି ଚାଲିଥିଲେ । ଆଉ ଏହାକୁ ପ୍ରତିହିତ କରିବା ପାଇଁ ସେନା ବାହିନୀର ଯବାନଙ୍କ ସମେତ କମିଶନରେଟ ପୋଲିସର ଅଧିକାରୀମାନେ ଧାଁ ଦୌଡ ଆରମ୍ଭ କରିଦେଇଥିଲେ । ଏମିତି ଦୃଶ୍ୟ ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ।
ଖାଲି ସେତିକିନୁହେଁ, ବୋମାମାଡରେ ଆହତ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭର୍ତ୍ତି କରି ଶିଶୁଭବନ ଛକ ରାସ୍ତା ଦେଇ କ୍ୟାପିଟାଲ ହସ୍ପିଟାଲ ପଠାଉଥିବାର ଦୃଶ୍ୟ ଆଜି କିଛି ସମୟ ପାଇଁ ରାଜମହଲ ଛକ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । କିନ୍ତୁ ପ୍ରକୃତରେ ଏହା ଯୁଦ୍ଧ ସମୟର ଚିତ୍ରନଥିଲା । ବରଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଛି । କାଳେ କୌଣସି ଜବାବୀ ହମଲା ହେବ ତାହାକୁ ଦୃଷ୍ଟିରେ ରଖି ସାରା ଦେଶର ୨୪୪ ସ୍ଥାନରେ ଏପରି ମକ୍ ଡ୍ରିଲର ଆୟୋଜନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଗୃହ ମନ୍ତ୍ରଣାଳୟ ତରଫରୁ ନିଦେ୍ର୍ଦଶ ଜାରି ହୋଇଥିଲା ।
ଏହି ନିଦେ୍ର୍ଦଶକ୍ରମେ ବୁଧବାର ରାଜଧାନୀ ଭୁବନେଶ୍ୱରର ରାଜ ମହଲ ଛକରେ ଏହି ମକ୍ ଡ୍ରିଲ କରାଯାଇଥିଲା । ଯେଉଁଥିରେ ସେନା ଅଧିକାରୀଙ୍କ ସମେତ ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ଏନସିସି କ୍ୟାଡେଟ, ଅଗ୍ନିଶମ ବିଭାଗର କର୍ମଚାରୀ ଓ କମିଶନରେଟ ପୋଲିସର ଅଧିକାରୀମାନେ ସାମିଲ ହୋଇଥିଲେ । ମକଡ୍ରିଲର ଉଦେ୍ଦଶ୍ୟ ଥିଲା, କୌଣସି ପରିସ୍ଥିତିରେ ଯଦି ଶତ୍ରୁ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଏ ତେବେ ସାଧାରଣ ଲୋକେ କିପରି ସର୍ତକ ରହିବେ ।
ଏଥିପାଇଁ ନିୟମ ଅନୁଯାୟୀ ପ୍ରଥମେ ଯୁଦ୍ଧ ପୂର୍ବରୁ ସାଇରନ ବାଜିଥିଲା । ସାଇରନ ବାଜିବାର ଅର୍ଥ ଲୋକଙ୍କୁ ଯୁଦ୍ଧ ସଂକ୍ରାନ୍ତରେ ସର୍ତକ କରାଇବା । ସାଇରନ ବାଜିବା ମାତ୍ରେ ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପରାମର୍ଶ ଦିଆଯାଇଛି । ଏହାପରେ ବି ଯଦି କୌଣସି ବ୍ୟକ୍ତି ବାହାର ସ୍ଥାନରେ ରହି ଯାଇଛନ୍ତି ତେବେ ସେମାନେ ତୁରନ୍ତ ନିକଟସ୍ଥ ଚଟାଣରେ କାନକୁ ଆଙ୍ଗୁଳି ସାହାଯ୍ୟରେ ବନ୍ଦ କରି ତଳେ ଶୋଇଯିବା ଦ୍ୱାରା ବିପଦରୁ କିଛି ମାତ୍ରାରେ ମୁକ୍ତି ପାଇବାରେ ସଫଳ ହୋଇପାରିବେ । ଏହା ପରେ ବି ଶତ୍ରୁ ପକ୍ଷରୁ କୌଣସି ଆକ୍ରମଣ କରାଯାଏ ତେବେ ତୁରନ୍ତ ଭାରତୀୟ ସେନା ପକ୍ଷରୁ ଶତ୍ରୁ ପକ୍ଷକୁ କଡା ମୁକାବିଲା କରାଯିବ । ଆଗାମୀ ଦିନରେ ରାଜଧାନୀର ଅନ୍ୟ ସ୍ଥାନମାନଙ୍କରେ ଏହି ମକଡ୍ରିଲ କରାଯିବ । ମକଡ୍ରିଲ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ଯେ, ଆଜି ଯେଉଁ ମକଡ୍ରିଲ କରାଯାଇଛି ଏହା ଲୋକଙ୍କୁ ବେଶ ସଚେତନ କରାଇଛି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହି ମକଡ୍ରିଲ କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।