ଲଘୁ ଖଣିଜ ସମ୍ପଦ ଚୋରି ଉପରେ ଲାଗିବ ରୋକ୍ : ଗଠନ ହେଲା ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ଚମ୍ପୁଆ ଏବଂ ସଦର ଉପଖଣ୍ଡରେ ଲଘୁ ଖଣିଜ ସମ୍ପଦ ଚୋରି ରୋକିବା ପାଇଁ ଉପଖଣ୍ଡସ୍ତରରେ ଏବଂ ତହସିଲସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର୍ ଗଠନ କରାଯାଇଛି । ଡିସେମ୍ବର ୧ ତାରିଖରେ ଜିଲ୍ଲାର ଜଣେ ଜୁନିୟର ମାଇନିଂ ଅଫିସର ଏବଂ ଅନ୍ୟ କର୍ମଚାରୀଙ୍କୁ ବାଲି ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ସରକାର ଘଟଣାକୁ ଗୁରୁତର ସହ ନେଇ ଲଘୁ ଖଣିଜ ସମ୍ପଦ ଚୋରି ରୋକିବା ପାଇଁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ତାଙ୍କ ଚିଠି ସଂଖ୍ୟା ୧୦୪୮୧ ତା ୦୪/୧୨/୨୦୨୪ରେ ଉପଖଣ୍ଡସ୍ତରରେ ଏବଂ ତହସିଲସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ । ଏହି ସ୍କ୍ୱାର୍ଡ ମାସକୁ ଅତି କମ୍ରେ ଥରେ ଚୋରି ରୋକିବା ପାଇଁ ପଦକ୍ଷେପ ନେବେ । ଏହାର ରିପୋର୍ଟ ଜିଲ୍ଲାସ୍ତରରେ ଗଠିତ ଟାସ୍କ ଫୋର୍ସକୁ ଏବଂ ଲଘୁ ଖଣି ନିଦେ୍ର୍ଦଶକଙ୍କୁ ପ୍ରଦାନ କରିବେ । ସବ୍ଡିଭିଜନସ୍ତରରେ ଗଠିତ ଏନଫୋର୍ସମେଣ୍ଟ କମିଟିରେ ଉପଜିଲ୍ଲାପାଳଙ୍କୁ ଏହାର ଅଧ୍ୟକ୍ଷ ରଖାଯାଇଥିବା ବେଳେ, ଏସଡିପିଓ, ରେଞ୍ଜ ଅଫିସର, ତହସିଲଦାର, ଆଇଆଇସି ମେମ୍ବର ଭାବେ କାର୍ଯ୍ୟ କରିବେ ଏବଂ ମାଇନିଂ ଅଫିସର କିମ୍ବା ଜୁନିୟର ମାଇନିଂ ଅଫିସର ମେମ୍ବର କନ୍ଭେନର ଭାବେ କାର୍ଯ୍ୟ କରିବେ । ତହସିଲସ୍ତରରେ ଗଠିତ ଏନଫୋର୍ସମେଣ୍ଟ କମିଟିରେ ତହସିଲଦାର ଅଧ୍ୟକ୍ଷ ରହିବେ । କମିଟିରେ ଆଇଆଇସି, ରେଞ୍ଜ ଅଫିସରଙ୍କୁ ସଦସ୍ୟ ରଖାଯାଇଥିବା ବେଳେ, ମାଇନିଂ ଅଫିସର କିମ୍ବା ଜୁନିୟର ମାଇନିଂ ଅଫିସର ମେମ୍ବର କନ୍ଭେନର ଭାବେ କାର୍ଯ୍ୟ କରିବେ ।
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପେଡା ବ୍ରିଜ ନିକଟ ସୁଡୁସୁଡିଆ ଛକରେ ଗତ ୧ ତାରିଖ ରାତିରେ ଖଣି ବିଭାଗ ଏନଫୋର୍ସମେଣ୍ଟ କାର୍ଯ୍ୟରେ ନିୟୋଜିତ ଥିବା ଗାଡି ଅଟକାଇ ବାଲି ମାଫିଆ ଅତର୍କିତ ଆକ୍ରମଣ କରିଥିଲେ । ଏହି ଘଟଣାରେ କେନ୍ଦୁଝର ଖଣି ମଣ୍ଡଳ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ, ଡ୍ରାଇଭର ପ୍ରସାଦ ମହାନ୍ତି ଏବଂ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ । ପୋଲିସ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ, ୧୦ରୁ ଅଧିକ ଲୋକ ଏବେ ବି ଫେରାର ଅଛନ୍ତି । ଏହି ଘଟଣା ପରେ କେବଳ କେନ୍ଦୁଝର ଜିଲ୍ଲା ନୁହେଁ ରାଜ୍ୟରେ ମଧ୍ୟ ଏନଫୋର୍ସମେଣ୍ଟ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ନୂତନ ଭାବେ ସବ୍ଡିଭିଜନ ଏବଂ ତହସିଲସ୍ତରରେ ସ୍କ୍ୱାର୍ଡର୍ ଗଠନ ପରେ ନିୟମିତ ଯାଞ୍ଚ କରାଯିବ । ଡିସେମ୍ବର ୧୮ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଚଢ଼ଉ ସମୟରେ ବାଲି ମାଫିଆମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହ କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଡିସେମ୍ବର ୨୪ ତାରିଖରେ ତାଳଚେର ଶିରିଗିଡା ବାଲିଘାଟରେ ଯାଞ୍ଚ ବେଳେ ମହିଳା ଖଣି ଅଧିକାରୀ ସୁକେସ୍ମିତା ମାଝୀଙ୍କୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି । କେବଳ ଏହି ୩ ସ୍ଥାନରେ ନୁହେଁ ସମଗ୍ର ରାଜ୍ୟରେ ବାଲି ମାଫିଆ ମାନେ ରକ୍ତମୁଖା ହୋଇଛନ୍ତି । ଏନଫୋର୍ସମେଣ୍ଟ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁ ନଥିବାରୁ ଗତ ୨ସପ୍ତାହ ହେବ ଚୋରି ବଢିବାରେ ଲାଗିଛି । ଫଳରେ ସରକାରଙ୍କ ରାଜସ୍ୱ ହାନୀ ହେଉଛି । କେବଳ ଲଘୁ ଖଣିଜ ସମ୍ପଦ ନୁହେଁ ଲୁହାପଥର ଏବଂ ମାଙ୍ଗାନିଜ ମଧ୍ୟ ବେଧଡ଼କ ଚୋରି ହେଉଛି । ଅନ୍ୟପକ୍ଷରେ ନୋଟିଫିକେସନ୍କୁ ସଂଶୋଧନ କରାଯାଇ ତହସିଲଦାରଙ୍କୁ ଚୋରି କାର୍ଯ୍ୟରେ ନିୟୋଜିତ ଗାଡିକୁ ଜବତ କରିବାର କ୍ଷମତା ଦିଆଯିବାକୁ ଦାବି ହୋଇଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଆଲୋକ ପ୍ରଧାନଙ୍କ ସହ ଯୋଗଯୋଗ କରିବାରୁ ଲଘୁ ଖଣିଜ ସମ୍ପଦ ଚୋରା ଉପରେ ରୋକ ଲଗାଇବାକୁ ସ୍କ୍ୱାର୍ଡର୍ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ବେଆଇନ ଉତ୍ତୋଳନ ଏବଂ ପରିବହନ ବେଳେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।