ବର୍ଷା ହେଲା କାଳ ହୃଦଘାତରେ ଚାଷୀ ମୃତ
ବାଣପୁର: ଦିନରାତି ଏକ କରି କରିଥିବା ଫସଲ ଅଦିନିଆ ଲଘୁଚାପ ବର୍ଷାରେ ଉଜୁଡି ଯିବା ଦେଖି ବାଣପୁର ବ୍ଲକ୍ କୁମାରାଙ୍ଗ ପଞ୍ଚାୟତ ଏକ ଡାଳିଆ ଗ୍ରାମର ଚାଷୀ ମେଘନାଦ ଦଳବେହେରାଙ୍କ ହୃଦଘାତରେ ମୃତୁ୍ୟ ହୋଇଛି । ମେଘନାଦଙ୍କ ପରିବାର ଠାରୁ ଜଣା ଯାଇଛି ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ମେଘନାଦ ଜମି ଦେଖିବା ପାଇଁ ଯାଇଥିଲେ । ଜମିରେ କଟା ହୋଇଥିବା ଧାନ ପାଣିରେ ଭାସୁଥିବା ବେଳେ, କଟା ହୋଇ ନ ଥିବା ଧାନ ଗଛ ପାଣିରେ ବୁଡିଯାଇଥିବା ଦେଖି ଜମିରୁ ପାଣି ନିଷ୍କାସନ ପାଇଁ ହୁଡା ହାଣି ପାଣି ବାହାରକୁ ବାହାରିବା ବ୍ୟବସ୍ଥା କରି ଘରକୁ ଫେରୁଥିବା ବେଳେ, ହଠାତ୍ ଚେତାଶୁନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାକୁ ନେଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତୁ୍ୟ ହୋଇଥିବା ଡାକ୍ତର କହିଥିଲେ । ରେଳ ବିଭାଗରେ ଚାକିରି କରି ଅବସର ପରେ ମେଘନାଦ ଗ୍ରାମରେ ରହି ଚାଷ କରୁଥିଲେ । ଉଜୁଡା ଫସଲ ଦେଖି ଦଃଖରେ ମିୟମ୍ରାଣ ହୋଇ ହୃଦଘାତରେ ମୃତୁ୍ୟ ହୋଇଥିବା ପରିବାର ପ୍ରକାଶ କରିଛନ୍ତି । ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ବାଣପୁର ତହସିଲଦାର ପଦ୍ମନାଭ ଦୋରା କହିଛନ୍ତି ।