ଶ୍ରୀମନ୍ଦିରରେ ବିମଳାଙ୍କ ଷୋଳପୂଜା

ଶ୍ରୀମନ୍ଦିରରେ ବିମଳାଙ୍କ ଷୋଳପୂଜା

 ପୁରୀ : ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରୁ ଶାରଦୀୟ ଦୁର୍ଗା ପୂଜାର ଶୁଭାରମ୍ଭ ହୋଇଛି । ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଦେବୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀମନ୍ଦିର ବେଢ଼ାସ୍ଥିତ ବିମଳାଙ୍କ ସହସ୍ର କୁମ୍ଭାଭିଷେକ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ଭଣ୍ଡାରରୁ ଶ୍ରୀ ଦୁର୍ଗାଦେବୀ ଆଜ୍ଞାମାଳ ପାଇ ସୋମନାଥ ମଣ୍ଡପ ଖଟ ଉପରେ ବିଜେ କରିଥିଲେ । ପତି ମହାପାତ୍ର ଦୁର୍ଗାଦେବୀଙ୍କୁ ହାତରେ ବିଜେ କରାଇ ଆଣିଥିଲେ । ପୂଜାପଣ୍ଡା, ପତି ଓ ମୁଦିରସ୍ତ ଆଚାର୍ଯ୍ୟ ଓ ବ୍ରହ୍ମାବରଣ ହୋଇ କୋଠଭୋଗ ପାଣିଆ ଦେଇଥିବା ଏକସହସ୍ର ଗରା ଜଳ ଦୁର୍ଗାଙ୍କୁ ଲାଗି କରିଥିଲେ । ଏହାପରେ ଶ୍ରୀଅଙ୍ଗ ପୋଛା ହୋଇ ଦୁର୍ଗାଦେବୀଙ୍କୁ ଲୁଗାଲାଗି ଓ ବେଶ କରାଯାଇଥିଲା । ଶୀତଳଭୋଗ ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ବନ୍ଦାପନା ପରେ ଦୁର୍ଗାଦେବୀ ବାହୁଡ଼ା ବିଜେ କରିଥିଲେ । ଅବକାଶ ବେଶରେ ମହାପ୍ରଭୁଙ୍କୁ ୨ଖଣ୍ଡ ଆଜ୍ଞାମାଳ ଲାଗି କରାଯାଇଥିଲା । ପୂଜାପଣ୍ଡା ଶ୍ରୀକାଳପୁରୁଷୋତ୍ତମହାଦେବଙ୍କୁ ଆଜ୍ଞାମାଳ ଦେଇଥିଲେ । ଏହାପରେ ଭଣ୍ଡାର ଦ୍ୱାର ଠାରେ କୋଠ ସୁଆଁସିଆ ପକାଇଥିବା ଭଦ୍ରାସନରେ ଶ୍ରୀ ଦୁର୍ଗାଦେବୀଙ୍କୁ ବିଜେ କରାଯାଇଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଦୁର୍ଗାଦେବୀ ଓ ଶ୍ରୀକାଳ ପୁରୁଷୋତ୍ତମ ଜୟବିଜୟ ଦ୍ୱାର ଦେଇ ବେହରଣ ମଣ୍ଡପଠାରେ ରଖାଯାଇଥିବା ପାଲିଙ୍କିରେ ବିଜେ କରିଥିଲେ ।