ବଳବତ୍ତର ଅପରେସନ "ଚକ୍ର'
ପୁରୀ : ପୁରୀ ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ ପୁରୀ ପୁଲିସର ଅପରେସନ ଚକ୍ର ଜାରି ରହିଛି । ଏହି ଅଭିଯାନରେ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ୨ଟି ଥାନା ପକ୍ଷରୁ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳତା ମିଳିଛି ବୋଲି ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଥିଲେ ଯେ ମଦ୍ୟପାନ କରି ଗାଡ଼ି ଚଳାଇବା ଓ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଅଭିଯୋଗରେ ୨୩୨ଟି ମାମଲା ରୁଜୁ କରାଯାଇ ୨୩ଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିଭଳି ୩ଟି ଚୋରାମୋଟର ସାଇକେଲ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଳାର ନୂଆ ସାହି ଗ୍ରାମର ଅଜୟ ସିଂଙ୍କୁ ଗିରଫ କରାଯାଇଛି । ଅଜୟ ସିଂ ସ୍ୱର୍ଗଦ୍ୱାର ନିକଟରୁ କୁମ୍ଭାରପଡ଼ା ଥାନାର ଅଜୟ ଦାସଙ୍କ ଏକ ବାଇକ୍ ନମ୍ବର ଓଡ଼ି୦୫ବିପି୫୨୮୦ ଚୋରି କରିନେଇଥିଲା । ତା ଠାରୁ ଉକ୍ତ ବାଇକ୍ ସହ ଅନ୍ୟ ୨ଟି ବାଇକ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ବିଏନଏସ୍ର ୩୦୩(୨) ଧାରାରେ ୨୫୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ବାସେଳୀ ସାହି ଥାନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଚଢାଉ କରାଯାଇ ଚୋରା ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗରେ ମିଶ୍ର ନୋଳିଆ ସାହିର ଶିବୁନା ନାୟକ ଓରଫ ଉନ୍ଦୁ(୨୬)କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ୧୧.୩୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ୨ଟି ମୋବାଇଲ ଫୋନ୍, ଗୋଟିଏ ହୁଣ୍ଡା ଡ଼ିଆଇଓ ସ୍କୁଟି ମଧ୍ୟ ଅଭିଯୁକ୍ତ ଠାରୁ ଜବତ କରାଯାଇଛି । ଶିବୁନା ବିରୁଦ୍ଧରେ ବାସେଳୀ ସାହି ଥାନା, ସମୁଦ୍ରକୂଳ ଥାନାରେ ବିଭିନ୍ନ ଦଫାରେ ୪ଟି ମାମଲା ରହିଛି ବୋଲି ଏସ୍.ପି ପ୍ରତୀକ ସିଂ ପ୍ରକାଶ କରିଥିଲେ । ଜଣେ ମାଦକ ଦ୍ରବ୍ୟ ବିକ୍ରୟକାରୀଙ୍କ ଠାରୁ ୨୨୦୦ମିଲି କୋରେକ୍ସ ଜବତ କରାଯାଇଛି । ପୁରୀ ସହର ସବ୍ଡ଼ିଭିଜନ୍ ଅନ୍ତର୍ଗତ ୮ଟି ଥାନା ପକ୍ଷରୁ ଚଢାଉ କରାଯାଇ ୭ଦିନ ମଧ୍ୟରେ ୯ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି ।