ଗିରୀଶଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସବକମିଟି


ପୁରୀରୁ ବିଶ୍ୱଜିତ୍ ମିଶ୍ର : ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିର ନାଟ ମଣ୍ଡପରେ ବହୁଚର୍ଚ୍ଚିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ନିକଟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ  । ହେଲେ ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଆହୁରି କିଛି ଦିନ ସମୟ ଲାଗିବ ବୋଲି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରୁ ସୂଚନା ମିଳିଛି  । ଏସ୍ଓପି ପ୍ରସ୍ତୁତ ହେବା ପରେ ଧାଡ଼ି ଦର୍ଶନ ଆରମ୍ଭ ତାରିଖ ସ୍ଥିରୀକୃତ ହେବ ବୋଲି ଜଣାଯାଇଛି  । ଅପରପକ୍ଷରେ ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ଓ ଦୀଘା ଜଗନ୍ନାଥ ଧାମକୁ ମଧ୍ୟ ବିରୋଧ କରାଯାଇଛି  । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ଠାରେ ପରିଚାଳନା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  ।
ଏହି ବୈଠକରେ ମୁଖ୍ୟତଃ ଧାଡ଼ିଦର୍ଶନ ବ୍ୟବସ୍ଥା ଓ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା  । ଧାଡ଼ିଦର୍ଶନ ବ୍ୟବସ୍ଥାକୁ ଆଜିର ବୈଠକରେ ଅନୁମୋଦନ କରାଯାଇଛି । ଏଥିପାଇଁ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି  । ଏହି କମିଟିରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର ନାଥ ସାହୁ, ୫ଜଣ ସେବାୟତ ପ୍ରତିନିଧି ଏବଂ ପରିଚାଳନା କମିଟି ସଦସ୍ୟ ଡ଼. ସିଦେ୍ଧଶ୍ୱର ମହାପାତ୍ରଙ୍କ ସମେତ ୯ଜଣ ସଦସ୍ୟ ରହିଛନ୍ତି । ଏହାଛଡ଼ା କମିଟିରେ ଏଏସ୍ଆଇ ଓ ଓବିସିସିର ପ୍ରତିନିଧିଙ୍କୁ ମଧ୍ୟ ନିଆଯାଇଛି । ଧାଡ଼ିଦର୍ଶନ ପାଇଁ ବ୍ୟାରିକେଡ଼ କରାଗଲେ ଯେଭଳି ନୀତିକାନ୍ତି ସଂପାଦନରେ କୌଣସି ବାଧା ନଉପୁଜେ ସେଥିପ୍ରତି କମିଟି ସର୍ବାଧିକ ଗୁରୁତ୍ୱ ଦେବ ଓ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି  ।
ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ଧାଡ଼ିଦର୍ଶନ ବ୍ୟବସ୍ଥାରେ ସଂଶୋଧନ କରାଯିବ ବୋଲି ପ୍ରକାଶ କରିବା ସହ ଡ଼. ପାଢୀ କହିଥିଲେଯେ, ନାଟମଣ୍ଡପରେ ବାତାନୁକୂଳିତ ବ୍ୟବସ୍ଥା ପାଇଁ ଏଏସ୍ଆଇ ଅନୁମୋଦନ କରିଛି  । କେଉଁ ଧାଡ଼ିରେ କେଉଁମାନେ କିଭଳି ଯାଇ ଦର୍ଶନ କରିବେ ସେ ସଂପର୍କରେ ଏସ୍ଓପି ପ୍ରସ୍ତୁତ ହେବ । ଉତ୍ତରଦ୍ୱାର ବାଟଦେଇ ଭିନ୍ନକ୍ଷମମାନଙ୍କ ପାଇଁ ର୍ୟାମ୍ପ ନିର୍ମାଣ କରାଯାଇଛି  । ଏଥିପାଇଁ ମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧୀକ୍ଷକ ଓ ୫ଜଣ ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ନୀତି ପ୍ରଶାସକ ଓ କମାଣ୍ଡର ମଧ୍ୟ କମିଟିରେ ରହିଛନ୍ତି । 
ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡ଼. ପାଢୀ କହିଥିଲେ ଯେ, ଇସ୍କନର ଅଦିନିଆ ରଥଯାତ୍ରା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଶାସ୍ତ୍ର ସମ୍ମତ ଭାବେ ତିଥି ଅନୁଯାୟୀ ରଥଯାତ୍ରା, ସ୍ନାନଯାତ୍ରା କରିବା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶାସ୍ତ୍ର ବିଶାରଦମାନଙ୍କୁ ନେଇ ଏକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି  । ଏହାକୁ ଇସ୍କନର ମୁଖ୍ୟ କାର୍ଯ୍ୟାଳୟ ମାୟାପୁରକୁ ପଠାଯିବ ଏବଂ ତଦାନୁଯାୟୀ ଇସ୍କନ  କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ । ଦୀଘାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ରୂପେ ଚିତ୍ରିତ କରାଯାଇଥିବାରୁ ସେବାୟତମାନେ ଏହାର ଦୃଢ ବିରୋଧ କରିଥିଲେ । ସରକାରୀ ସ୍ତରରେ ଏହାର ପ୍ରତିରୋଧ କରାଯିବ  ।
ମୁଖ୍ୟ ପ୍ରଶାସକ ପ୍ରକାଶ କରିଥିଲେଯେ, ୧୪ଟି ନୂତନ ସବ୍କମିଟି ଗଠନ କରାଯାଇଛି । ଏହି ସବ୍କମିଟି ଗୁଡ଼ିକ ମଧ୍ୟରୁ ୪ଟି ସ୍ଥାୟୀ ସବ୍କମିଟି ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଗଠନ ହୋଇଛି  । ସେଗୁଡ଼ିକ ହେଲା ଅର୍ଥ ସବ୍କମିଟି, ନୀତି ସବ୍କମିଟି, ରତ୍ନଭଣ୍ଡାର ସବ୍କମିଟି ଓ ଅପିଲ୍ ସବ୍କମିଟି  । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉଠୁଥିବାରୁ ନୂତନ ଭାବେ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ଗଠନ କରାଯାଇଛି  । ଏହାର ଅଧ୍ୟକ୍ଷ ଡ଼. ଗିରିଶ ଚନ୍ଦ୍ର ମୁର୍ମୁ ରହିଥିବା ବେଳେ ଜିଲ୍ଳାପାଳ, ଆରକ୍ଷୀ ଅଧୀକ୍ଷକ ଓ ସେବାୟତମାନେ ସଭ୍ୟ ରହିଛନ୍ତି  । 
ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରକାଶନ ଓ ପ୍ରସାର ସବ୍କମିଟିରେ ଗଜପତି ମହାରାଜା ଅଧ୍ୟକ୍ଷ ରହିବେ  । ମୁଖ୍ୟ ପ୍ରଶାସକ, ଦେବୋତ୍ତର କମିଶନର, ଡ଼. ଗିରିଶ ଚନ୍ଦ୍ର ମୁର୍ମୁ, ମହେଶ ସାହୁ, ଜଗନ୍ନାଥ ପୂଜାପଣ୍ଡା, ଡକ୍ଟର ସିଦେ୍ଧଶ୍ୱର ମହାପାତ୍ର ପ୍ରଭୃତି ସଦସ୍ୟ ରହିବେ  । ସେବକ କଲ୍ୟାଣ ପାଇଁ ସେବକ କଲ୍ୟାଣ ସବ୍କମିଟି ଗଠନ କରାଯାଇଛି  । ଏହାର ଅଧ୍ୟକ୍ଷ ଜିଲ୍ଳାପାଳ ରହିଥିବା ବେଳେ ଏସ୍.ପି, ବିଧିବିଭାଗର ଅତିରିକ୍ତ ଶାସନ ସଚିବ ସଦସ୍ୟ ରହିଛନ୍ତି । ଭୂମି ସବ୍କମିଟି ଗଠନ କରାଯାଇ ମୁଖ୍ୟ ପ୍ରଶାସକଙ୍କୁ ଅଧ୍ୟକ୍ଷ କରାଯିବା ସହ ଜିଲ୍ଳାପାଳ ଦେବୋତ୍ତର କମିଶନର, ବିଧିବିଭାଗର ଅତିରିକ୍ତ ସଚିବ, ପରିଚାଳନା କମିଟି ସଦସ୍ୟ ସଭ୍ୟ ରହିଛନ୍ତି । ପ୍ରକଳ୍ପ ବୈଷୟିକ କମିଟି ଗଠନ କରାଯାଇ ଜିଲ୍ଳାପାଳଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସେହିଭଳି ପ୍ରକଳ୍ପ ସାଂସ୍କୃତିକ ସବ୍କମିଟି ଗଠନ କରାଯାଇଛି । ଏହାର ଉଦେ୍ଦଶ୍ୟ ବିକାଶ କାର୍ଯ୍ୟ ଜଗନ୍ନାଥ ସଂସ୍କୃତି ଅନୁରୂପ ହେବ । ଗଜପତି ମହାରାଜା ଏହାର ଅଧ୍ୟକ୍ଷ ରହିଥିବା ବେଳେ ଗିରିଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ସିଦେ୍ଧଶ୍ୱର ମହାପାତ୍ର, ମହନ୍ତ ରଘୁବୀର ଦାସ ମହାରାଜ ପ୍ରମୁଖ ସଭ୍ୟ ଅଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପେନ୍ସନ୍ ଟ୍ରଷ୍ଟ ବୋର୍ଡ଼ ଗଠନ କରାଯାଇଛି । ଜିଲ୍ଳାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି । ଏଷ୍ଟାବ୍ଲିସ୍ମେଣ୍ଟ ରିଲେଟେଡ଼ ସବ୍କମିଟି ଗଠନ କରାଯାଇ ଜିଲ୍ଳାପାଳଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିଧି ସବ୍କମିଟି ଗଠନ କରାଯାଇ ମୁଖ୍ୟ ପ୍ରଶାସକଙ୍କୁ ଏହାର ଅଧ୍ୟକ୍ଷ ରଖାଯିବା ସହ ଦେବୋତ୍ତର କମିଶନର ବିଧିବିଭାଗ ଅତିରିକ୍ତ ଶାସନ ସଚିବ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ସଦସ୍ୟ ରଖାଯାଇଛି । ଜମିଜମା ଜାଲିଆତି ରୋକିବା ପାଇଁ ବରିଷ୍ଠ ଅଭିଜ୍ଞ ଓକିଲମାନଙ୍କୁ ନେଇ ଏକ ପ୍ୟାନେଲ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି ଓକିଲମାନେ ଶ୍ରୀମନ୍ଦିରର ଭୂସମ୍ପତ୍ତି ସୁରକ୍ଷା ଦିଗରେ ପରାମର୍ଶ ଦେବେ । ଏତଦ୍ବ୍ୟତୀତ ନୀତି ସମନ୍ୱୟ ସବ୍କମିଟି ଗଠନ କରାଯାଇଛି । 
ସେପ୍ଟେମ୍ବର ୪ତାରିଖ ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  ।