୨୫ରେ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ

୨୫ରେ ବାତ୍ୟା, ଓଡ଼ିଶାକୁ  ପ୍ରଭାବ ନାହିଁ

ଭୁବନେଶ୍ୱର : ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଭୀଷଣ ଗ୍ରୀଷ୍ମ ପ୍ରବାହରେ ସମସ୍ତେ କଲବଲ ହେବେ । ଏଥର ଏହାର ଅବଧି ପ୍ରାୟ ୧୦ ଦିନ ଧରି ରହିବ । ଓଡ଼ିଶାରେ ମୌସୁମୀ  ପହଞ୍ଚିବା ଯାଏ ଗ୍ରୀଷ୍ମ ପ୍ରବାହର ଜ୍ୱାଳାରୁ ମୁକ୍ତି ମିଳିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।୨୫ରେ ଏହା ଛୋଟ ଧରଣର ବାତ୍ୟା ରୂପ ନେଇପାରେ । ୨୬ ସକାଳେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ତେବେ ଛୋଟ ବାତ୍ୟା ହେଉ କି ଗଭୀର ଅବପାତ, ଓଡ଼ିଶାରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିବନି । କେନ୍ଦ୍ରୀୟ ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଦକ୍ଷିଣରେ ତାପମାତ୍ରା କ୍ରମଶଃ ବଢ଼ିବ । ୨୫ରେ କିଛି ବର୍ଷା ହୋଇପାରେ । ୨୬ରୁ ଏ ସବୁ ଅଞ୍ଚଳରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ । କିଛି ସ୍ଥାନରେ ୪୫ଡିଗ୍ରୀ ଟପିପାରେ । ରାଜଧାନୀରେ ୨୫ରୁ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ରହିପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ତେବେ ୨୫ତାରିଖ ତୃତୀୟ ପର୍ଯ୍ୟାୟ ଭୋଟ୍ ଦିନ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପ ବର୍ଷା ହୋଇପାରେ । ସେ ଦିନ ଅପରାହ୍ନରେ ବାଲେଶ୍ୱରରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨୭ ତାରିଖ ସୁଦ୍ଧା ପୂରା ବଙ୍ଗୋପସାଗରରେ ମୌସୁମୀ ସୁ ଛୁଇଁବ । ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବିଳମ୍ବରେ ମୌସୁମୀ ଛୁଇଁପାରେ । ଓଡ଼ିଶାରେ ମୌସୁମୀ ସୁ ଛୁଇଁବା  ବିଳମ୍ବିତ ହେବ ବୋଲି ସେ କହିଛହିନ୍ତି । ତେବେ ଜୁନ୍ ପ୍ରଥମ ସପ୍ତାହରେ ମିଆଁମାର ପାଖ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ବିଳମ୍ବିତ ମୌସୁମୀ  ଓ ଆରମ୍ଭରୁ ନିଅଣ୍ଟିଆ ବର୍ଷା ସମ୍ଭାବନା ଯୋଗୁ ମଧ୍ୟମ କିସମ ଧାନ ବାଛିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି । ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ରେ ବାଲେଶ୍ୱରର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ।