ହାଇକୋର୍ଟମାନଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ବୟସାଧିକ୍ୟ ଅପରାଧୀଙ୍କୁ ଜାମିନ ଦିଅ
ସୁପ୍ରିମକୋର୍ଟ: ବୟସାଧିକ୍ୟ ଅପରାଧୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଜାମିନ ଆବେଦନକୁ ମଞ୍ଜୁରୀ ଦିଆଯାଉ । ଯଦି ମାମଲା ଅତ୍ୟଧିକ ପୁରୁଣା ତଥା ଦୋଷୀଙ୍କୁ ଆଜୀବନ ସଜା ହୋଇଥାଏ ଏବଂ ସେମାନେ ବେଲ୍ରେ ଥା’ନ୍ତି ତେବେ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉ । ଅର୍ଥାତ୍ ଯଦି ଜଣେ ଅପରାଧୀ ଜେଲ୍ରେ ସଜା କାଟି ବୃଦ୍ଧାବସ୍ଥାରେ ପହଞ୍ଚôଛନ୍ତି, ତେବେ ପ୍ରାଥମିକତା ଭିତ୍ତିରେ ତାଙ୍କୁ ଜାମିନ ମଞ୍ଜୁରୀ ଦିଆଯାଉ । ମଧ୍ୟପ୍ରଦେଶରେ ୧୯୮୯ରେ ଘଟିଥିବା ଏକ ଅପରାଧିକ ମାମଲାର ଶୁଣାଣି ଅବସରରେ ସୁପ୍ରିମକୋର୍ଟ ବିଚାରପତି ଅଭୟ ଏସ୍ ଓକା, ବିଚାରପତି ଅସନୁଦ୍ଦିନ୍ ଅମନ୍ନୁଲା ଏବଂ ବିଚାରପତି ଏଜି ମାସୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟର ସମସ୍ତ ହାଇକୋର୍ଟଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଦୀର୍ଘସମୟ ପର୍ଯ୍ୟନ୍ତ କାରାବାସରେ ଅଛନ୍ତି ଏବଂ ଅପରାଧିକ ମାମଲାରେ ତାଙ୍କ ଯୁବକ ସମୟ ଜେଲ୍ରେ ହିଁ କଟିଛି; ତେବେ ସେହି ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ଯଦି ଜାମିନ ଆବେଦନ କରନ୍ତି ତାହେଲେ ପ୍ରାଥମିକତା ଭିତ୍ତିରେ ତାଙ୍କ ଆବେଦନକୁ ମଞ୍ଜୁରୀ ଦିଆଯାଉ । ଏହସହ ଅଦାଲତ କହିଛନ୍ତି ବିଭିନ୍ନ ରାଜ୍ୟରେ ଏହିଭଳି ଅସଂଖ୍ୟ ପୁରାତନ ମାମଲା ରହିଛି । ତୁରନ୍ତ ଏହିସବୁ ମାମଲା ବିଚାରକୁ ନେଇ ଏ ଦିଗପ୍ରତି ଯତ୍ନବାନ ହେବାକୁ ସମସ୍ତ ହାଇକୋର୍ଟଙ୍କୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।