କର୍ଣ୍ଣାଟକ ନେତାମନ୍ତ୍ରୀ ହନିଟ୍ରାପରେ ଫସିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବୋମାଇ

ସୁପ୍ରିମକୋର୍ଟ : କର୍ଣ୍ଣାଟକରେ ୪୮ ବିଧାୟକ ଏବଂ ମନ୍ତ୍ରୀ ହନିଟ୍ରାପ୍ରେ ଫସିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଏହି ଘଟଣା ଯୋଗୁ ସାରା ଦେଶରେ ରାଜ୍ୟର ଖ୍ୟାତି ନଷ୍ଟ ହୋଇଛି । ଏଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିଜ ପଦରୁ ଇସ୍ତାଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସାଂସଦ ବାସଭରାଜ ବୋମାଇ । ଏହାସହ ବୋମାଇ କହିଛନ୍ତି ଯେ, ରାଜ୍ୟରେ ଏବେ ‘କ୍ରାଇମ୍ କ୍ୟାବିନେଟ୍’ ପରିଚାଳିତ ହେଉଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି ରାଜ୍ୟରେ କଂଗ୍ରେସ ସରକାର ନିଜର ନୈତିକ ମୂଲ୍ୟବୋଧ ହରାଇ ସାରିଛି । ମାତ୍ର ଦୁଇବର୍ଷର ଶାସନ କାଳ ମଧ୍ୟରେ ପ୍ରାୟ ୧୦ଟି ଦୁର୍ନୀତି ସାମ୍ନାକୁ ଆସିଛି । ଏ ପର୍ଯ୍ୟନ୍ତ ରାଜ୍ୟ ଆର୍ଥିକ ସଙ୍କଟ ଭୋଗୁଥିବା ବେଳେ ରାଜ୍ୟ ଉପରେ ଏବେ ହନିଟ୍ରାପ୍ ମାମଲା ଭଳି ଆଉ ଏକ ଦୁର୍ନୀତି ବୋଝ ଲଦା ହୋଇଛି । ବିଧାନସଭାରେ ଦୀର୍ଘ ୧୫ ଦିନ ଧରି ଏ ପ୍ରସଙ୍ଗରେ ଆଲୋଚନା ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେମିତି ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।