ଡିସେମ୍ବର ସୁଦ୍ଧା ନୂଆ ରାଜସ୍ୱ ଗ୍ରାମ : ସୁରେଶ
suresh pujari

ଭୁବନେଶ୍ୱର : ସବୁ ବିଦ୍ୟାଳୟକୁ ଖୁବଶୀଘ୍ର ଜମି ପଟ୍ଟା ମିଳିବ । ପିଏମଏୱାଇରେ ଅନ୍ତର୍ଭୁକ୍ତ ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ପ୍ରଦାନ କରାଯିବ । ଡିସେମ୍ବର ସୁଦ୍ଧା ନୂଆ ରାଜସ୍ୱ ଗ୍ରାମ ଘୋଷଣା କରାଯିବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ଅପରପକ୍ଷରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ଭାବେ ବ୍ୟବହାର କରୁନାହାନ୍ତି, ତେବେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେଯେ, ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ, ଯାହାଦ୍ୱାରା ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଘରଡିହ ଶୂନ୍ୟ ବ୍ୟକ୍ତିମାନଙ୍କୁ ଘରଡିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯାଇ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟଗୁଡ଼ିକୁ ଜମିର ପଟ୍ଟା ଯୋଗାଇଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ନୂତନ ରାଜସ୍ୱ ଗ୍ରାମ ଘୋଷଣା କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବା, ରାଜ୍ୟରେ ତହସିଲମାନଙ୍କରେ ପଡ଼ି ରହିଥିବା ମ୍ୟୁଟେସନ ମାମଲାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଏବଂ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ ।
ସେହିପରି ସମସ୍ତ ତହସିଲ ଓ ରେଜଷ୍ଟ୍ରେସନ କାର୍ଯ୍ୟାଳୟରେ ଆଗନ୍ତୁକମାନଙ୍କ ପାଇଁ ପ୍ରତିକ୍ରିୟା ଓ ମତାମତ ରେଜିଷ୍ଟ୍ରାରରେ ଦରଜ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ଭାବେ ବ୍ୟବହାର କରୁନାହାନ୍ତି, ତେବେ ସେହି ଜମିକୁ ସରକାର ଫେରାଇନେବେ । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏହାର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ ।