ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ ବିରୋଧରେ ବଢ଼ୁଥିବା ହିଂସାକୁ ଉଜାଗର କରିଛି ଏବଂ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ବିଫଳ ଆମେରିକୀୟ ପୋଲିସ ଉପରେ ଅନେକ ପ୍ରଶ୍ନ ଉଠାଇଛି।
BAPSରେ ହୋଇଥିବା ଭଙ୍ଗାରୁଜା ସମ୍ପର୍କରେ, BAPS ପବ୍ଲିକ ଆଫେୟାର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି, ଆଉ ଏକ ମନ୍ଦିର ଅପବିତ୍ର ହୋଇଛି। ଏଥର ଘଟଣାଟି କାଲିଫର୍ନିଆର ଚିନୋ ହିଲ୍ସରେ ଘଟିଛି। ହିନ୍ଦୁ ସମ୍ପ୍ରଦାୟ ଘୃଣା ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି। ଚିନୋ ହିଲ୍ସ ଏବଂ ଦକ୍ଷିଣ କାଲିଫର୍ନିଆର ସମ୍ପ୍ରଦାୟ ଏକତାବଦ୍ଧ, ଏବଂ ଆମେ କେବେ ବି ଘୃଣାକୁ ଜମିବାକୁ ଦେବୁ ନାହିଁ। ଭାରତ ସରକାର ମଧ୍ୟ ମନ୍ଦିର ଉପରେ ହୋଇଥିବା ଏହି ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି। ରବିବାର ବୈଦେଶିକ ମନ୍ତ୍ରଣାଳୟ ଏହି ‘ଘୃଣ୍ୟ କାର୍ଯ୍ୟ’କୁ ଦୃଢ଼ ନିନ୍ଦା କରିଛି। ଏକ ସରକାରୀ ବିବୃତ୍ତିରେ ମନ୍ତ୍ରଣାଳୟ ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ବାନ କରିଛି। 

ଉତ୍ତର ଆମେରିକାରେ ହିନ୍ଦୁ ଧର୍ମ ପାଇଁ କାମ କରୁଥିବା ସଂଗଠନ ‘କ୍ୱାଲିସନ ଅଫ ହିନ୍ଦୁସ୍‌ ଅଫ୍‌ ନର୍ଥ ଆମେରିକା’ ପୂର୍ବରୁ ଘଟିଥିବା ସମାନ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ମାସରେ କାଲିଫର୍ନିଆର ସାକ୍ରାମେଣ୍ଟୋରେ ଥିବା BAPS ହିନ୍ଦୁ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ କାନ୍ଥରେ ’ହିନ୍ଦୁମାନେ ଫେରିଯାଅ!’ ବୋଲି ସ୍ଲୋଗାନ ଲେଖାଯାଇଥିଲା। ତଦନ୍ତରେ ଅଭିଯୁକ୍ତ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସାକ୍ରାମେଣ୍ଟୋ ଘଟଣାର ପ୍ରାୟ ୧୦ ଦିନ ପୂର୍ବରୁ ନ୍ୟୁୟର୍କର ମେଲଭିଲରେ ଥିବା ଆଉ ଏକ BAPS ଶ୍ରୀ ସୱାମୀନାରାୟଣ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ ଘୃଣାପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।