ଦିନରେ ବଢୁଛି ତାତି, ରାତିରେ କମୁଛି ତାପମାତ୍ରା
ଗ୍ରୀଷ୍ମର ପ୍ରଭାବ ଧିରେଧିରେ ପଡୁଛି। ଗଛରୁ ପତ୍ର ଝଡ଼ିବା ସହ ଦିନରେ ତାପମାତ୍ରା ବୃଦ୍ଧି ପାଉଛି ଆଉ ବିଳମ୍ବିତ ରାତି ହେଲେ ଦେହ ଥରାଇଦେଉଛି ଏଭଳି ଅନୁଭବ ହେଉଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ତାପମାତ୍ରା ବୃଦ୍ଧି ଓ ପ୍ରଚଣ୍ଡ ଖରା ଗରମ ଯୋଗୁ ଲୋକେ ଦିନରେ ପଙ୍ଖାର ଆବଶ୍ୟକତା କରୁଥିବାବେଳେ ସଞ୍ଜ ନଇଁ ଆସିଲେ ପୁଣି ଥଣ୍ଡା ଫେରୁଛି ଆଉ ବିଳମ୍ବିତ ରାତିଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଦେହ ଥରାଇଦେଉଛି। ଫଳରେ ନିଆଁ ଖୋଜା ପଡୁଛି ଏଭଳି ଆହୁରି କିଛି ଦିନ ତାପମାତ୍ରା ସକାଳ ସମୟରେ କମ ରହିବ ବୋଲି ଆଶଙ୍କା କରାଯାଇଛି। କୁହାଯାଉଛି ବର୍ତ୍ତମାନ ମହୁଲ ଗଛ ଫୁଲ ଦେବାର ସମୟ ତେଣୁ ଏଭଳି ଭୋର ସମୟରେ ଶୀତକୁ ଲୋକ ଭାଷାରେ ମହୁଲ ଶୀତ ବୋଲି କୁହାଯାଇଥାଏ। ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ସର୍ବନିମ୍ମ ତାପମାତ୍ରା ୧୫ରୁ ୧୭ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଫଳରେ ଶୀତ ଅନୁଭୂତ ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଚଣ୍ଡ ଖରା ଓ ରାତିରେ ଜାଡ଼ ଅନୁଭୂତ ହେଉଥିବାବେଳେ ପତ୍ରଝଡ଼ା ଆରମ୍ଭ ଯୋଗୁ ଦିନରେ ଗରମ ବୃଦ୍ଧି ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଇଛି।