ଉଷାକୋଠି ଅଭୟାରଣ୍ୟ ବୁଲିଲେ ଧର୍ମେନ୍ଦ୍ର

 ଭୁବନେଶ୍ୱର :କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ଜମନକିରା ବ୍ଲକ ବଡ଼ରମା ସ୍ଥିତ ଉଷାକୋଠି ଅଭୟାରଣ୍ୟ ପରିଦର୍ଶନ କରି ଏହାର ସୁରକ୍ଷା ଏବଂ ବିକାଶ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଗସ୍ତକାଳନରେ ଅଭୟାରଣ୍ୟରେ ଥିବା ନିରୀକ୍ଷଣ ଅଟ୍ଟାଳିକା ଓ ବଡରମା ଠାରେ ଶିକାରୀ ନିରୋଧ ତନଖି ଫାଟକ ଓ ତନଖି ଗୃହ ସହିତ ପର୍ଯ୍ୟଟକ ସୁବିଧା କେନ୍ଦ୍ରର ସମସ୍ୟା ଓ ସମ୍ଭାବନା ନେଇ  ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏ ଅବସରରେ ଧର୍ମେନ୍ଦ୍ର କହିଥିଲେ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡରମା ବନାଞ୍ଚଳ ଅଧୀନ ଏହି ଅଭୟାରଣ୍ୟରେ ଅନେକ ବନ୍ୟଜନ୍ତୁଙ୍କ ସମେତ ବହୁ ମୂଲ୍ୟବାନ ବୃକ୍ଷ ରହିଛି । ଜଙ୍ଗଲ, ଝରଣା, ସବୁଜୀମାରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି । ଏହି ଅଭୟାରଣ୍ୟର ସୁରକ୍ଷା, ଅବାଧ ଶିକାରକୁ ରୋକିବା, ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଉଷାକୋଠି ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ସହଯୋଗୀ ହେବେ ବୋଲି ସେ କହିଛନ୍ତି । ଏହାସହ ଧର୍ମେନ୍ଦ୍ର ଉଷାକୋଠି ଅଭୟାରଣ୍ୟରେ ଥିବା କୁତବ ଗ୍ରାମର ସ୍ଥାନୀୟ ଲୋକମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।