୮ରୁ ବଢ଼ିବ ତାତି
ଭୁବନେଶ୍ୱର: କାଳବୈଶାଖୀ ସତ୍ତ୍ୱେ ଆସନ୍ତା ୮ରୁ ରାଜ୍ୟରେ ତାତି ବଢ଼ିବ । ଆଇଏମଡ଼ି ପକ୍ଷରୁ ଏଭଳି ଆକଳନ କରାଯାଇଛି । ସେହିପରି ୧୨ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଝଡ଼ବର୍ଷା ହେବାର ଥିବାବେଳେ କେତେକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପୂର୍ବ ରାଜସ୍ଥାନରୁ ମେଘାଳୟ ପର୍ଯ୍ୟନ୍ତ ପୂର୍ବ ପଶ୍ଚିମ ଟ୍ରଫ ଏବେ ପୂର୍ବ ରାଜସ୍ଥାନରୁ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ଉତ୍ତର ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ସିକିମ୍ ଦେଇ ସମୁଦ୍ର ପତନ ଠାରୁ ୦.୯ କିମି ଉଚ୍ଚରେ ରହିଛି । ସେହିପରି ଆଜି ରାଉରକେଲାରେ ଅପରାହ୍ନ ୫ଟା ୪୦ରୁ ୧୦ ମିନିଟ୍ ଧରି କୁଆପଥର ବର୍ଷା ହୋଇଛି । ପାଖାପାଖି ୦.୯ ସେମିର କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି । ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ତାତି ୬ ଡିଗ୍ରୀ ବୃଦ୍ଧିପାଇଛି । ଆସନ୍ତାକାଲି ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟାହ୍ନ ଓ ସଂଧ୍ୟାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନରୂପ ଭାବେ ମେ’ ୮ରୁ ୧୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରିହୋଇଛି । ତେବେ ୧୧ ଓ ୧୨ ରେ ବର୍ଷା ହେବାର ଥିଲେବି କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ୧୩ରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।