ଚର୍ଚ୍ଚାରେ ଜୁଏଲ ଓରାମ୍ : ଅସୁସ୍ଥତାକୁ ଖଣ୍ଡନ

ଭୁବନେଶ୍ୱର: ଟ୍ରେନରୁ ହଠାତ୍ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗାଏବ ହୋଇଯିବା ଘଟଣା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ଅସୁସ୍ଥତାକୁ ଜୁଏଲ୍ ଖଣ୍ଡନ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇ ଯାଇଥିଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟ୍ରେ ନଥିଲେ । ଏହାକୁ ନେଇ ରେଳ ଅଧିକାରୀମାନେ ଛାନଭିନ ଆରମ୍ଭ କରିଦେଇଥିଲେ । ପ୍ରାୟ ୩ ଘଣ୍ଟା ପରେ ସେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଜାଣିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଭୋର୍ ୩ଟା ୪୫ରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ବ୍ଲଡ ସୁଗାର କମିଯାଇଥିଲା । ଚଳନ୍ତା ଟ୍ରେନରେ ଚଢୁଥିବାବେଳେ ପାଦ ଖସିଯିବାରୁ ତାଙ୍କ ହାତଗୋଡରେ ଆଘାତ ଲାଗିଥିଲା ଏବଂ ଖଣ୍ଡିଆ ହୋଇଯାଇଥିଲେ । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । ଜବଲପୁରରେ ମନ୍ତ୍ରୀଙ୍କର ଚିକିତ୍ସା କରାଯାଇଥିଲା ।