ଏଆଇ ଚିହ୍ନଟ କରିବ ଥାଇରଏଡ୍

 ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନ ହେଲେ ଏହା ବିପଜ୍ଜନକ ସାବ୍ୟସ୍ତ ହେବ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ । ଥାଇରଏଡ୍ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ପରିଚାଳନାକୁ ପରିବର୍ତ୍ତନ କରିବାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନିମନ୍ତେ ବ୍ୟବସ୍ଥା ହେଉଛି । ବିଶେଷକରି ଦେଶର ପ୍ରାୟ ୧୦ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଥିବା ହାଇପୋଥାଇରଏଡିଜମ୍ର ନିରାକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ବିଶ୍ୱାସ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ମେ ୨୫କୁ ବିଶ୍ୱ ଥାଇରଏଡ୍ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏମ୍ସରେ ଆଜି ଅନୁଷ୍ଠିତ ହୋଇଥିବା ଏହି ଦିବସ ଅବସରରେ ଏହା ପ୍ରକାଶ କରିଛନ୍ତି ଡ. ବିଶ୍ୱାସ । ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି ଏବଂ ନୁ୍ୟକ୍ଲିୟର ମେଡିସିନ୍ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ଦିଲ୍ଲୀପ ପରିଡା, ଡ. କହ୍ନେୟାଲାଲ୍ ଅଗ୍ରୱାଲ୍ ଏବଂ ଅନ୍ୟ ବକ୍ତାମାନେ ପ୍ରାରମ୍ଭିକ ଥାଇରଏଡ୍ ରୋଗ ଚିହ୍ନଟର ଗୁରୁତ୍ୱ ଏବଂ ଏଆଇର ଭୂମିକା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ ।