କୁଖ୍ୟାତ ଚେନ୍ ଲୁଟେରା ଗୁଲୁ ଓ ଟିକିକୁ ସଜ୍ଜା
ଭୁବନେଶ୍ୱର, ୨୦ା୪ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ବିଚାରପତି ପୂଜା ଜୈନ ୨୦୨୩ ମସିହାରେ ସହିଦନଗର ଥାନା ଅଞ୍ଚଳରେ ହୋଇଥିବା ଏକ ସୁନା ଚେନ୍ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତ ଟିକି ଓରଫ ସର୍ବେଶ୍ୱର ଗୋଛାୟତ ଏବଂ ଗୁଲୁ ଓରଫ ବୁଲୁ ନାୟକକୁ ସଜ୍ଜା ସୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଶିଶିଳା ଚୌଧୁରୀ ପରିବାର ସହ ସହିଦନଗର ଥାନା ଅଞ୍ଚଳରେ ରୁହନ୍ତି । ଗତ ଜୁଲାଇ ମାସ ୧୧ ତାରିଖ ରାତି ୯ଟା ବେଳେ ସେ ଏକ କାର୍ଯ୍ୟ କ୍ରମରେ ଯୋଗଦାନ ସାରି ଘରକୁ ଫେରୁଥିବା ବେଳେ ଚାନ୍ଦୀ ଭଣ୍ଡାର ନିକଟରେ ଥିବା ପତି ମେଡିସିନ୍ ଷ୍ଟୋର ସମ୍ମୁଖରେ ଦୁଇ ଅଭିଯୁକ୍ତ ଏକ କଳା ପଲସର ବାଇକରେ ପଛପଟୁ ଆସି ଅଭିଯୋଗକାରିଣୀଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏନେଇ ଯୁବତୀ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା କେସ ନମ୍ବର- ୨୭୪/୨୦୨୩, ଦଫା ୩୯୨/୩୪ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ପାଇଁ ଏସଆଇ ଅଶ୍ୱିନୀ କୁମାର ଜେନାଙ୍କୁ ଦାଇତ୍ୱ ହସ୍ତାନ୍ତର କରାଯାଇଥିବା ବେଳେ ପରେ ଏହି ଦାଇତ୍ୱ ଏସଆଇ ସନ୍ତୋଷ କୁମାର ବେହେରା ଏହି ମାମଲାର ତଦନ୍ତ ଭାର ନେଇଥିଲେ । ଉଭୟେ ତଦନ୍ତକାରୀ ଅଫିସର ଏହି ମାମଲାର ସଠିକ ଭାବେ ତଦନ୍ତ କରିବା ସହ ୨ ଜଣ ଲୁଟେରାଙ୍କୁ ଗିରଫ କରିଥିଲେ । ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଟିକି ଏବଂ ଗୁଲୁକୁ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୫୦୦ ଟଙ୍କା ଲେଖାଏ ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର କଳ୍ପତରୁ ସାହୁ, ସରୋଜ କୁମାର ସ୍ୱାଇଁ ଏବଂ ସବିତା ଚୌଧୁରୀ ପରିଚାଳନା କରିଥିଲେ ।