ଚୋରା ମୋବାଇଲ ବିକ୍ରି ବେଳେ ୨ ଲୁଟେରା ଗିରଫ

ଚୋରା ମୋବାଇଲ ବିକ୍ରି ବେଳେ ୨ ଲୁଟେରା ଗିରଫ

ଭୁବନେଶ୍ୱର: ଘାଟିକିଆ ନାକାଗେଟ୍ ଛକରେ କିଛି ଲୋକଙ୍କୁ ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଦୁଇ ଲୁଟେରାଙ୍କୁ କାବୁ କଲା ଭରତପୁର ଥାନା ପୁଲିସ । ସେମାନଙ୍କ ଠାରୁ ୪ଟି ମୋବାଇଲ, ନଗଦ ୪୦ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଛି । ଗିରଫ ୨ ଲୁଟେରା ହେଲେ, ଗଞ୍ଜାମ ଜିଲ୍ଲାର ଦାସ ଅନିଲ ଓ ପି ଅଜୟ । ପରେ ଥାନା କେସ ନମ୍ବର ୨୧୨ରେ ମାମଲା ରୁଜୁକରି ଦଫା ୩୯୨, ୪୧୧, ୪୧୩, ୪୮୨, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟା ସମୟରେ ସିଇଟି କଲେଜ ନିକଟସ୍ଥ ନାକାଗେଟ୍ ପାଖରେ ଦୁଇ ଅଭିଯୁକ୍ତ କମ ମୁଲ୍ୟରେ କିଛି ଚୋରା ମୋବାଇଲ କିଛି ଲୋକଙ୍କୁ ବିକ୍ରି କରୁଥିବା ଖବର ଭରତପୁର ଥାନା ଅଧିକାରୀ ଦିନବନ୍ଧୁ ମିଶ୍ର ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ସଙ୍ଗେ ସଙ୍ଗେ ଥାନାର ଏକ ଟିମକୁ ପଠାଇ ୨ ଜଣ ଲୁଟେରାଙ୍କୁ ନାକାଗେଟ ଛକରୁ ଗିରଫ କରିଥିଲେ । ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ନଗଦ ୪୦ ହଜାର ଟଙ୍କା, ୪ଟି ମୋବାଇଲ, ଏକ ବାଇକ ଜବତ କରାଯାଇଛି । ଏମାନେ ମଧ୍ୟ ଏରାଗୋଲା ଗ୍ୟାଙ୍ଗର ସଦସ୍ୟ ଅଟନ୍ତି । ଏମାନେ ମଧ୍ୟ କାରର କାଚ ଭାଙ୍ଗି ଲୁଟ୍ ପାଟ୍ କରିଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ଭରତପୁର, ବଡ଼ଗଡ଼, ରାଜନଗର, ସାଲେପୁର ଓ ତିର୍ତ୍ତୋଲ ଆଦି ଥାନା ଗୁଡ଼ିକରେ ୫ଟି ଅପରାଧିକ ମାମଲା ରହିଛି ।