ନାହିଁ ପାର୍କିଂ ବ୍ୟବସ୍ଥା : ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା
ସାଲେପୁର : ସାଲେପୁର ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି । ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଅମାନିଆମାନଙ୍କ ପାଇଁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି । ଫଳରେ ପ୍ରତିଦିନ ସନ୍ଧ୍ୟାରେ ସାଲେପୁର ବଜାରରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି ।
ପ୍ରକାଶ ଯେ, ସାଲେପୁର ସହର ଏକ ଗୁରୁତ୍ୱପୂର୍ଣ୍ଣ ସହର । ଏହି ସହର ଦେଇ କଟକ-ଚାନ୍ଦବାଲି, ପାରାଦୀପ, ବାଲିଚନ୍ଦ୍ରପୁର, ଯାଜପୁର ଆଦି ଅଞ୍ଚଳକୁ ନିୟମିତ ଶହ ଶହ ସଂଖ୍ୟକ ଯାନବାହନ ଯାତାୟତ କରିଥାନ୍ତି । କିନ୍ତୁ ସାଲେପୁର ବଜାରରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ କେତେକ ଅମାନିଆ ରାସ୍ତାର ଉଭୟ ପାଶ୍ୱର୍ ଓ ରାସ୍ତା ଉପରେ ଦୁଇଚକିଆ ଯାନ ଠାରୁ ଆରମ୍ଭ କରି ଚାରିଚକିଆ ଯାନ ରଖି ଘଣ୍ଟା ଘଣ୍ଟା ଧରି ମାର୍କେଟିଂ କରୁଥିବାରୁ ଉଭୟ ପାଶ୍ୱର୍ ରାସ୍ତାରେ ଶହ ଶହ ସଂଖ୍ୟକ ଗାଡ଼ି ଲାଇନ୍ ଲାଗି ରହୁଛି । ସାଲେପୁର ପୁଲିସ ପକ୍ଷରୁ ଅମାନିଆଙ୍କୁ ସାବାଡ଼ ପାଇଁ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଅମାନିଆମାନେ ଜୋରିମାନାକୁ ଭୃକ୍ଷେପ ନ କରି ମନଇଚ୍ଛା ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଏଣେ ତେଣେ ବୁଲୁ ଥିବାରୁ ସାଲେପୁର ବଜାରରେ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡୁଛି । ଅପରପକ୍ଷରେ ଉଠା ଦୋକାନୀମାନେ ରାସ୍ତା ଉପରେ ନିଜର ବ୍ୟବସାୟିକ ପସରା ଖୋଲୁଥିବାରୁ ଟ୍ରାଫିକ୍ ସମସ୍ୟା ଦ୍ୱିଗୁଣିତ ହେଉଛି । ଏହି ଉଠା ଦୋକାନୀମାନେ ତହସିଲ ଗେଟ୍ ଠାରୁ ଡାକପୋଲ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ଅସ୍ଥାୟୀ ଦୋକାନ ଖୋଲି ବସୁଥିବାରୁ ଏହି ଦୋକାନରୁ ବିଭିନ୍ନ ସାମଗ୍ରୀ କ୍ରୟ କରିବାକୁ ଆସୁଥିବା ଲୋକମାନେ ରାସ୍ତା ଉପରେ ଗାଡ଼ିକୁ ରଖି ଦେବାରୁ ରାସ୍ତାରେ ଗାଡ଼ି ଜମା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ସାଲେପୁର ସହରରେ ଟ୍ରାଫିକ୍ ସମସ୍ୟା ଦୀର୍ଘଦିନର ସମସ୍ୟା ହୋଇଥିବାରୁ ଏହାକୁ କିଛି ମାତ୍ରାରେ ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଲେପୁର-କୁଆଁପାଳ ଛକରେ ଟ୍ରାଫିକ୍ର ସୁପରିଚାଳନା ନିମନ୍ତେ ୨ଜଣ ଟ୍ରାଫିକ୍ ପୋଲିସକୁ ନିଯୁକ୍ତି ଦିଆଯାଇଥିବାବେଳେ ଏହି କିଛି ମାସ ହେବ ଆଉ ଏହି ଟ୍ରାଫିକ୍ ପୋଲିସ ରହୁନଥିବାରୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସନ୍ଧ୍ୟା ହେଲେ ସାଲେପୁର ବଜାରରେ ଘଣ୍ଟା ଘଣ୍ଟା ଧରି ବଜାର ଜାମ୍ ରହୁଥିବାରୁ ଜରୁରୀକାଳୀନ ଯାନବାହନ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଯଦି ପ୍ରଶାସନ ପକ୍ଷରୁ ସାଲେପୁର ସହରର ଟ୍ରାଫିକ୍ ସମସ୍ୟା ସୁଧାରିବା ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ସାଲେପୁର ସହରରେ ଟ୍ରାଫିକ୍ ସମସ୍ୟା ଆହୁରି ଜଟିଳ ହେବ ବୋଲି ସାଧାରଣରେ କୁହାଯାଇଛି ।