ଜାତୀୟ ସ୍ୱାସ୍ଥ୍ୟ ମିଶନର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା : ନିର୍ଦ୍ଧିଷ୍ଟ ସଂସ୍ଥାକୁ ଅନୁକମ୍ପା ଦେଖାଇ କାର୍ଯ୍ୟଭାର ଦେଇଥିବା ଅଭିଯୋଗ
ମାଲକାନଗିରି : ଜାତୀୟ ସ୍ୱାସ୍ଥ୍ୟ ମିଶନର ଟେଣ୍ଡର ପ୍ରକ୍ରିୟାରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ଅଭିଯୋଗ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାର ସମାଜସେବୀ ତଥା ପୂର୍ବତନ ପୋଲିସ ଅଧିକାରୀ ଶରତ ବୁରୁଦା ମଧ୍ୟ ଏ ନେଇ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଗତ ବର୍ଷ ବିଭିନ୍ନ କାର୍ଯ୍ୟ ସେବା ଯୋଗାଇବା ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ମାଲକାନଗିରି ଜିଲ୍ଲା ପାଇଁ ଏକ ଟେଣ୍ଡର ପ୍ରକ୍ରିୟା ହୋଇଥିଲା । ତେବେ ଏହି ପ୍ରକ୍ରିୟାରେ ନିର୍ମଳ ଯୋଜନାରେ ବିଭିନ୍ନ ସଂସ୍ଥା କାର୍ଯ୍ୟ କରିବାକୁ ଟେଣ୍ଡର ଆବେଦନ କରିଥିଲେ । କିନ୍ତୁ ସମସ୍ତ ସଂସ୍ଥାକୁ ବାଦ୍ ଦେଇ ନେତା ସିକୁ୍ୟରିଟି ଏଜେନ୍ସି ନାମକ ସଂସ୍ଥାକୁ ଏହି ଟେଣ୍ଡରରେ ଚୟନ କରାଯାଇ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି ସଂସ୍ଥା ପୂର୍ବରୁ ମାଲକାନଗିରି ପୌରପରିଷଦରେ ମିଥ୍ୟା ଅଡିଟ ରିପୋର୍ଟ ପ୍ରଦାନ ଯୋଗୁଁ କଳାତାଲିକା ଭୁକ୍ତ କରିବାକୁ ସୁପାରିସ କରଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ ହୋଇଥିବା ମାଲକାନଗିରି ଜିଲ୍ଲାର ସମାଜସେବୀ ଶ୍ରୀ ବୁରୁଦା ମଧ୍ୟ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଗତବର୍ଷ ମାଲକାନଗିରି ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିର୍ମଳ ଯୋଜନାରେ ଟେଣ୍ଡର ହୋଇଥିଲା । ଏଥିରେ ଅନେକ ସଂସ୍ଥା ଆବେଦନ କରିଥିଲେ । ନିୟମ ଓ ମାନଦଣ୍ଡ ଅନୁସାରେ ଟେଣ୍ଡର ଦିଆନଯାଇ ମିଥ୍ୟା ଅଡିଟ୍ ରିପୋଟ ଦର୍ଶାଇ କଳାତାଲିକା ଭୁକ୍ତ ପାଇଁ ଅଭିଯୋଗ ଥିବା ଏକ ସିକୁ୍ୟରିଟି ସଂସ୍ଥାକୁ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଡର ଦିଆଯାଇଥିଲା । ଚଳିତ ମାସ ୧୨ତାରିଖରେ ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କରିବାକୁ କାର୍ଯ୍ୟାଦେଶ ମିଳିଥିବାବେଳେ ଏହି ସଂସ୍ଥା ଅନେକ ନକଲି କାଗଜପତ୍ର ଦେଇଥିବାର ପ୍ରମାଣପତ୍ର ରହିଛି । ଯାହାର ତଦନ୍ତ ହେବାର ଅବଶ୍ୟକତା ରହିଥିବା ଶ୍ରୀ ବୁରୁଦା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିଆକରୀଙ୍କୁ ଭେଟି ଦାବି କରିଛନ୍ତି । ତେବେ ଏ ବିଷୟରେ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଦଶିକା ଡି. ବୃନ୍ଦା ଦାସଙ୍କୁ ମଧ୍ୟ ପୂର୍ବରୁ କିଛି ବ୍ୟକ୍ତି ଜଣାଇ ଥିବାବେଳେ ଉକ୍ତ ସଂସ୍ଥା ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ କିମ୍ବା ଏହି ଟେଣ୍ଡର ବାତିଲ୍ ହୋଇନାହିଁ । ଏପରିକି ଏହି ସଂସ୍ଥା ଦେଇଥିବା ଅନେକ ଏକ୍ସପିରିଏନ୍ସ ପ୍ରମାଣ ପତ୍ର ଗୁଡିକ ମଧ୍ୟ ନକଲି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ସଂସ୍ଥାକୁ ଦିଆଯାଇଥିବା ଦାୟିତ୍ୱକୁ ହଟାଇ ନୂତନ ଭାବେ ଟେଣ୍ଡର ପ୍ରକ୍ରିୟା କରାଯାଉ, ନଚେତ ଅନ୍ୟ ସଂସ୍ଥା ଗୁଡିକୁ ଏହାର ଦାୟିତ୍ୱ ଦିଆଯାଉ ବୋଲି ଶ୍ରୀ ବୁରୁଦା ଦାବି କରିଛନ୍ତି । ଏଥିସହିତ ଏଜେନ୍ସି ନାମରେ ଆସିଥିବା ଅଭିଯୋଗର ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ତେବେ ଏ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜ ବନ୍ଧୁ ଦାସ ପ୍ରକାଶ କରିଛନ୍ତି ଯେ, ଉକ୍ତ ଏଜେନ୍ସି ନାମରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ହେବ ଓ ଡିଓଏସ ସାବ୍ୟସ୍ତ ହେଲେ ଉଚିତ ପଦକ୍ଷେପ ନିଆଯିବ ।