ଏଓଜିଓର ପ୍ରତିବାଦ ସଭା


 ।ା ପ୍ରଭାନୁ୍ୟଜ ।ା କଟକ :  ରାଜ୍ୟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ପକ୍ଷରୁ କଲିକତାର ଆରଜି କର ମେଡ଼ିକାଲ କଲେଜରେ ଘଟିଥିବା ନିନ୍ଦନୀୟ ଘଟଣାର ଏକ ପ୍ରତିବାଦ ସଭା ଏସ୍ସିବି ମେଡ଼ିକାଲ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।  ସଂଘର ସଭାପତି ଡଃ ଜୟଶ୍ରୀ ପଟ୍ଟନାୟକ ଓ ସଂପାଦିକା ଡଃ ସସ୍ମିତା ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବର୍ବରୋଚିତ ଘଟଣାରେ ଅମାନୁଷିକ ଭାବେ ମୃତୁ୍ୟମୁଖକୁ ଠେଲି ଦିଆଯାଇଥିବା ଡାକ୍ତରୀ ଛାତ୍ରୀଙ୍କୁ ତ୍ୱରିତ ନ୍ୟାୟ ଦେବାରେ ବିଳମ୍ବ ହେଉଥିବାରୁ ସଂଘ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ଉକ୍ତ ନାରକୀୟ କାଣ୍ଡରେ ଲିପ୍ତ ଥିବା ସମସ୍ତ ଦୋଷୀମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡବିଧାନ ନେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ନ୍ୟାୟିକ ପ୍ରକି୍ରୟାରେ ଅହେତୁକ ବିଳମ୍ବ ହେଉଥିବାରୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଥିଲା । ସଂଘ ପକ୍ଷରୁ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଡାକ୍ତର ନସିଂହ ଅଫିସର ଏବଂ ଅନ୍ୟାନ୍ୟ ମହିଳା କର୍ମଚାରୀମାନଙ୍କୁ ସେଫ୍ଟି ସିକୁ୍ୟରିଟି ଦେବା ପାଇଁ ଏହି ସଭାରେ ଦାବି କରାଯାଇଛି । ସଂଘର କର୍ମକର୍ତ୍ତାମାନଙ୍କ ସହ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ. ଶ୍ୟାମା କାନୁନଗୋ, ଡଃ ଶରତ କୁମାର ମହାପାତ୍ର, ଡ. ସୁଶୀଲ କୁମାର ଗିରି, ଡ. ମାୟା ପାଢ଼ୀ, ଡ. ହରପ୍ରସାଦ ପଟ୍ଟନାୟକ, ଡ. ଜନ୍ମେଜୟ ମହାପାତ୍ର, ଡ. ମୃତୁ୍ୟଞ୍ଜୟ ମହାପାତ୍ର, ଡ. ସ୍ନିଗ୍ଧା ବନବାସୀନି ନନ୍ଦ, ଡ. ମଧୁମିତା ମହାନ୍ତି, ଡ. ଲୀଳାବତୀ ଗୁରୁ, ଡ. ଭାଗ୍ୟଲକ୍ଷ୍ମୀ ନାୟକ, ଡ. ଗୀତାଞ୍ଜଳୀ ରଥ, ଡ. କିର୍ତ୍ତିରେଖା ମହାପାତ୍ର, ଡ. ସୁରେନ୍ଦ୍ର ମହାନ୍ତି, ଡ. ମଧୁସ୍ମିତା ହେମ୍ବ୍ରମଙ୍କ ସହ ଶତାଧିକ ପିଜି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।