ଫଳ ଦୋକାନୀଙ୍କ ପାଇଁ ଉପୁଜୁଛି ଟ୍ରାଫିକ ସମସ୍ୟା

 କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପୌରାଞ୍ଚଳ ସାନ୍ତସାହି ପୋଲ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଏଠାରେ ଥିବା ମଣ୍ଡପ ନିକଟରେ ଉଠା ଫଳ ଦୋକାନୀ ଓ ପରିବା ବିକାଳୀଙ୍କ ପାଇଁ ରସ୍ତା ଅବରୋଧ ହୋଇ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ଏହି ଦୋକାନୀ ମାନେ ରାସ୍ତାକୁ ମଡାଇ ସେମାନଙ୍କର କାଠ ପେଟି, ଛତା ଓ ଫଳ ସାମଗ୍ରୀକୁ ରଖୁଥିବାରୁ ଜନ ସାଧାରଣଙ୍କ ଯାତାୟତ ପଥ ସଂଙ୍କୁଚିତ ହେବାରେ ଲାଗିଛି । ରସ୍ତା ଉପରେ ଥିବା ଇଲେକ୍ଟ୍ରି ଖୁଣ୍ଟକୁ ହଟାଯାଇ ପ୍ରଶସ୍ତିକରଣ କରାଯାଇଥିଲା, ମାତ୍ର ଏହି ଦୋକାନୀମାନେ ଧିରେ ଧିରେ ସେମାନଙ୍କର ବିକ୍ରୟ ସାମଗ୍ରୀକୁ ରାସ୍ତା ଉପରକୁ ମଡାଇ ରଖିଛନ୍ତି । ଫଳରେ ସନ୍ଧ୍ୟା ଓ ଅପରାହ୍ନ ସମୟରେ ଏହିବାଟେ ୨ ଚକିଆ ଓ ୪ ଚକିଆ ଯାନ ସମେତ ସାଇକେଲ ଆରୋହୀ ଓ ପଦଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆମ୍ବୁଲାନ୍ସ, ଅଗ୍ନିଶମ ଯାନ ପ୍ରଭୃତି ଜରୁରିକାଳୀନ ସେବା ଦେଉଥିବା ଯାନ ଗୁଡିକ ରାସ୍ତା ଉପରେ ଦୀର୍ଘ ସମୟ ଅଟକି ରହୁଥିବା ଦେଖିବାକୁ ମିଳୁଛି । ସାମଗ୍ରୀ କିଣିବାକୁ ଆସୁଥିବା ଲୋକମାନେ ସେମାନଙ୍କର ଯାନକୁ ରାସ୍ତା ଉପରେ ଏଣେତେଣେ ରଖୁ ଥିବାରୁ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପୌରସଂସ୍ଥା କର୍ତ୍ତୃପକ୍ଷ ଏହି ବ୍ୟବସାୟୀଙ୍କ ଠାରୁ କୌଣସି ପ୍ରକାର ସ୍ୱଳ୍ପ ଆଦାୟ କରୁନଥିବା ବେଳେ, ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଏହି ବ୍ୟବସାୟୀଙ୍କ ଠାରୁ ବେଆଇନ ମହାସୁଲ ଆଦାୟ କରି ରାସ୍ତା ଉପରକୁ ମଡାଇ ବସିବା ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ପୌରସଂସ୍ଥା ତୁରନ୍ତ ଏହି ସମସ୍ୟାର ସମାଧାନ ସହ ବଡ ଆକାରରେ ପସରା ମେଲାଇ ବସୁଥିବା ବେପାରୀ ମାନଙ୍କୁ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହେଉଛି ।