ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇନେଲା ଟ୍ରକ୍ ଡ୍ରାଇଭର
ଭଦ୍ରକ : ପ୍ରବଳ ବର୍ଷାର ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଉଠାଇନେଲେ ଟ୍ରକ୍ ଡ୍ରାଇଭର । ମହିଳାଙ୍କୁ ଅପହରଣ କରିନେଇଥିବା ଘଟଣା ଭଦ୍ରକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଭଦ୍ରକ ଅତିରିକ୍ତ ଏସ୍ପି ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣା ସଂପର୍କରେ ପୋଲିସ ଅବଗତ ଅଛି । ଘଟଣାକୁ ନେଇ ଭଦ୍ରକ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଟୋଲଗେଟ୍ ସମେତ ବିଭିନ୍ନ ସ୍ଥାନରେ ଟ୍ରକ୍କୁ ଧରିବାକୁ ସିସିଟିଭି ଯାଞ୍ଚ କରାଯାଉଛି । ଜିଲ୍ଲାର ବିଭିନ୍ନ ଟ୍ରକ୍ ଆସୋସିଏସନ ସହିତ ଡ୍ରାଇଭର ସଂଘର ସାହାଯ୍ୟ ଲୋଡ଼ା ଯାଇଥିବା ସୂଚନା ଦେଇଛନ୍ତି ଆଡିସନାଲ ଏସ୍ପି ଅରୂପ ଅଭିଷେକ ବେହେରା । ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଚରମ୍ପା ଫାଣ୍ଡି ଛକ ନିକଟରେ ଜଣେ ଦିବ୍ୟାଙ୍ଗ ମହିଳା ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ । ଏହି ସମୟରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଏକ ଟ୍ରକ୍ର ଡ୍ରାଇଭର ସେହି ସମୟରେ ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । ପରେ ତାଙ୍କ ନିକଟକୁ ଆସି ସେହି ମହିଳାଙ୍କୁ ଜୋରଜବରଦସ୍ତ ଟେକିନେଇଥିଲେ । ଗାଡ଼ି ଭିତରେ ଭର୍ତ୍ତି କରି ତାଙ୍କୁ କେଉଁ ଆଡ଼କୁ ନେଇ ଯାଇଛନ୍ତି । ଏହି ଘଟଣାଟି ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହ ମହିଳାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି ।