୧୫ରେ ରେଭେନ୍ସା ସମାବର୍ତ୍ତନ ସମାରୋହ 

 କଟକ  : ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସୀମାବର୍ତ୍ତନ ସମାରୋହ ୧୫ ଜୁଲାଇ ୨୦୨୫ ରେ ଅନୁଷ୍ଠିତ ହେବ । ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ସେଭେନ ପିଲାର୍ସ ଅଫ ଉଇସଡମ (କନଭେନସନ ସେଣ୍ଟର) ଠାରେ ସକାଳ ୧୧ଟା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୀମାବର୍ତ୍ତନ ସମ୍ବୋଧନ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ହରିବାବୁ କମ୍ବାମପଟି ଅଧ୍ୟକ୍ଷତା କରିବେ । ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବେ । ସମାବର୍ତ୍ତନ ସମାରୋହରେ ୨୦୨୩, ୨୦୨୪ ଓ ୨୦୨୫ ବର୍ଷ ପାଇଁ ମୋଟ ୩୨୯ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ, ସ୍ୱର୍ଣ୍ଣପଦକ ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ମଧ୍ୟାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ସଂଜୟ କୁମାର ନାୟକ ସୂଚନା ଦେଇଛନ୍ତି । ଏହାଛଡ଼ା ବୈଜ୍ଞାନିକ ଡ ଅଜିତ କୁମାର ମହାନ୍ତି, ସାଂସଦ ଭର୍ତ୍ତୁହରି ମହତାବ, ପରିବେଶ ସଂରକ୍ଷକ ପଦ୍ମଶ୍ରୀ ସାବରମତି ଓ ଦୃଷ୍ଟିହୀନ ସାମାଜିକ କର୍ମୀ ତଥା ରାଜ୍ୟର ପ୍ରଥମ ବ୍ରେଲ ପ୍ରେସ ପ୍ରତିଷ୍ଠାତା ବିଜୟ କୁମାର ରଥଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର କାହ୍ନୁଚରଣ ମଲିକ, ସିଇଓ ପ୍ରଫେସର ପତିତପାବନ ମିଶ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।