ଲେଖାଶ୍ରୀଙ୍କ ପ୍ରତି ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ : ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛି । ଏହା ପୂର୍ବରୁ, ଡ ସାମନ୍ତସିଂହାର ମହିଳା ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ । ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମହିଳା କମିସନଙ୍କ ଅଫିସକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜଣେ ନାରୀ ନେତ୍ରୀଙ୍କ ପ୍ରତି ବିଧାୟକ ଦେଇଥିବା ଅଶାଳୀନ ମନ୍ତବ୍ୟ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ସମଗ୍ର ନାରୀ ଜାତିର ମାନ ସମ୍ମାନ ଉପରେ ଏହା ଆଞ୍ଚ ଆଣିଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।
ଏ ଅବସରରେ ଶ୍ରୀମତୀ ସାହୁ କହିଥିଲେ, ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ, ନାରୀଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ଅହେତୁକ ବୃଦ୍ଧି ପାଇଛି । ସରକାରୀ ଦଳର ବିଧାୟକ ହୋଇ ନାରୀ ଜାତି ପ୍ରତି ଏପରି ଅଶାଳୀନ ମନ୍ତବ୍ୟ, ଅପରାଧି ମନସ୍ତତ୍ୱକୁ ଦର୍ଶାଇବା ସହିତ ଅପରାଧୀଙ୍କ ମନୋବଳକୁ ବୃଦ୍ଧି କରୁଛି । ଏ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦିକା ରାଜଶ୍ରୀ ମଲ୍ଲିକ, ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ, ଗଣମାଧ୍ୟମ ସଂଯୋଜକ ଡ ପ୍ରିୟବ୍ରତ ମାଝୀ, ଲୋରା ମହାପାତ୍ର, ମାନସୀ ସୁନ୍ଦରାୟ, ଅଂଶୁ ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।