‘ଉତ୍କର୍ଷ ଓଡ଼ିଶା’ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫’ । ଏହା ପୂର୍ବରୁ ଗତକାଲି (ଶୁକ୍ରବାର) ‘ଉତ୍କର୍ଷ ଓଡ଼ିଶା’ର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଲୋଗୋ ଉନ୍ମୋଚିତ କରି ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାରେ ନିବେଶ କରିବା ପାଇଁ ସ୍ୱାଗତ କରିଛନ୍ତି । ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ମୋହନ ସରକାର ଆୟୋଜନ କରିବେ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ । ଦେଶ ଓ ବିଦେଶର ନିବେଶକ କାର୍ୟ୍ୟକ୍ରମରେ ସାମିଲ ହେବେ । ଏହା ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ବିଜନେସ ଲିଡରଙ୍କ ସହ ଆଲୋଚନା କରିବେ ମୋହନ ସରକାର ।‘ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଲେଭ-୨୦୨୫’ ଅବସରରେ ମୋହନ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ରୋଡ଼ ସୋ' କରାଯିବ । ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଅକ୍ଟୋବର ୩ ତାରିଖରେ ନୂଆଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଏହା ପରେ ମୁମ୍ବାଇରେ ମଧ୍ୟ ରୋଡ଼ ସୋ' ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଦେଶର ଆଉ କିଛି ରାଜ୍ୟରେ ମଧ୍ୟ ନିବେଶକ ସମ୍ମିଳନୀ ଲାଗି ଯୋଜନା କରାଯାଇଥିବା ସୂଚନା ମିଳିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, "ଆମ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଭାରତ ବର୍ଷରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଆଜି ଶିଳ୍ପନୀତି ଆଧାରରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆଗାମୀ ଦିନରେ ହେବାରେ ଅଛି । ସେଥିପାଇଁ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫’ ର ଲୋଗୋ ଉନ୍ମୋଚନ କରାଯାଇଛି । ଏଥିରେ ଆମ ଓଡ଼ିଶା ପାଇଁ ସମ୍ଭାବନା ଅଛି । ଶିଳ୍ପ କ୍ଷେତ୍ରରେ ଆମକୁ ଅଧିକ ଉତ୍କର୍ଷତା କରିବାର ଅଛି । ସେଥି ପାଇଁ ଆଗକୁ ଅନେକ କାର୍ୟ୍ୟକ୍ରମ ହେବାର ଯୋଜନା ରହିଛି । ଭାରତ ବର୍ଷରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ରତା ଦେବୁ । ଏଥି ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ । ଓଡ଼ିଶା ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଅଛି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାର ସେଥିରେ ସଫଳତା ପାଇଁ ଆମର ଏହି ନିରନ୍ତର ପ୍ରୟାସ । ଉତ୍କର୍ଷ ଓଡିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ୟ୍ୟ କରିବ ନାହିଁ । ଏହା ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ୟ୍ୟ କରିବାର ସୁଯୋଗ ମଧ୍ୟ ଦେବ । ଓଡିଶାକୁ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ଆମର ଲକ୍ଷ୍ୟ । ଏହା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ, ବିଶ୍ୱ ସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ସମୃଦ୍ଧ ଉତ୍କଳୀୟ ପରମ୍ପରା ବିକାଶ ପାଇଁ ପ୍ରୟାସ କରିବା । ଲୋଗୋ ଉନ୍ନୋଚନ ଆଜି ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ''