ତାଳଚୁଆରୁ ବେଆଇନ ଭିଏଚଏଫ ସେଟ୍ ଜବତ

 ରାଜନଗର : ରାଜନଗର; ରାଜନଗର ବ୍ଲକ ଭିତରକନିକା ସଂଲଗ୍ନ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ବେଆଇନ ଭାବେ ମାଳ ମାଳ ଭିଏଚଏଫ ଟାୱାର ଲଗାଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖାଲି ଏହି ଅଞ୍ଚଳ ନୁହେଁ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଂଜ କାର୍ଯ୍ୟାଳୟ ମହାକାଳପଡା ବ୍ଲକ ଶାସନପେଟା ଅଞ୍ଚଳରେ ମଧ୍ୟ ବହୁ ବେଆଇନ ଭିଏଚଏଫ ସେଟ ବ୍ୟବହାର ହେଉଥିଲା । ଏସଂପର୍କରେ ରେଂଜ ପକ୍ଷରୁ ଅନୁଷ୍ଠିତ କଇଁଛ ସୁରକ୍ଷା ସଚେତନତା ଶିବିରରେ ବନଖଣ୍ଡର ସହକାରୀ ବନସଂରକ୍ଷକ ଗଗନବିହାରୀ ମଲ୍ଲିକ ପ୍ରକାଶ କରିବା ପରେ ବେଆଇନ ଭିଏଚଏଫ ସେଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପରେ ପୋଲିସ ବେଆଇନ ଭିଏଚଏଫ ସେଟ ଜବତ କରିବା ଆରମ୍ଭ କରିଛି । ତାଳଚୁଆ ସାମୁଦ୍ରିକ ଥାନା ଅଂଚଳରେ ଗତ ମଙ୍ଗଳବାର ଦିନ ୯ଟି ଭିଏଚଏଫ ସେଟକୁ ପୋଲିସ ଜବତ କରି ଥାନାକୁ ଆଣିଛି । ପୋଲିସ ଚଢାଉ କରିବା ପୂର୍ବରୁ ପ୍ରାୟ ଅଧଡର୍ଜନରୁ ଉଦ୍ଧ୍ୱର୍ ଭିଏଚ୍ଏଫ୍ ସେଟ୍ ଗାୟବ ହୋଇଛି । ତାଳଚୁଆ ଗାଁରୁ ଟ୍ରଲର ମାଲିକ ମଦନ ଦେବନାଥଙ୍କ ଘରୁ ୨ଟି, ଟ୍ରଲର ମାଲିକ ସ୍ୱଦେଶ ମଣ୍ଡଳ ଓ ଟ୍ରଲର ମାଲିକ ସନାତନ ପରିଡାଙ୍କ ଘରୁ ଗୋଟିଏ ଲେଖାଏଁ ବେଆଇନ ଭିଏଚଏଫ ସେଟ ଜବତ ହୋଇଛି । ସେହିପରି ଟ୍ରଲର ଡ୍ରାଇଭର ଭଂଜପ୍ରସାଦ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଘରୁ ୨ଟି, ଶୈ÷ଳେନ୍ଦ୍ରନଗର ଗ୍ରାମର ବୋଟ ଡ୍ରାଇଭର ନାସିରଅଲ୍ଲୀ ଖାଁ, ଅମରାବତୀ ଗ୍ରାମର ବୋଟ ଡ୍ରାଇଭର ଗୁରୁପଦ ଦାସ, ଗିରିଆପାହି ଗ୍ରାମର ବୋଟ ଡ୍ରାଇଭର ଜୟଦେବ ମଣ୍ଡଳଙ୍କ ଘରୁ ଗୋଟିଏ ଲେଖାଏଁ ବେଆଇନ ଭିଏଚଏଫ ସେଟକୁ ପୋଲିସ ଜବତ କରି ଥାନାକୁ ଆଣିଛି । ପୋଲିସ ଜବତ କରିଥିବା ବେଆଇନ ଭିଏଚଏଫ ସେଟଗୁଡିକ ଜବତ କରିଥିଲେ ମଧ୍ୟ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ନକରିବା ସହ ସେମାନଙ୍କୁ ଗିରଫ କରାନଯିବା ଘଟଣା ପୋଲିସର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଯଦି ଭିଏଚ୍ଏଫ୍ଗୁଡିକ ବେଆଇନ ଭାବେ ବ୍ୟବହାର ହେଉନାହିଁ, ତେବେ ପୋଲିସ ଜବତ କଲା କାହିଁକି? ଯଦି ଏହା ବେଆଇନ ତେବେ ମାମଲା ରୁଜୁ ହେଲା ନାହିଁ କାହିଁକି? ଟ୍ରଲର ମାଲିକ ଓ ଡ୍ରାଇଭରଙ୍କ ଘରେ ଉଚ୍ଚ ଶକ୍ତି କ୍ଷମତା ସଂପନ୍ନ ଏହି ସେଟଗୁଡିକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଅନୁମତି ନିଆଯାଇନଥିଲା କାହିଁକି? ଏବେ ପୋଲିସ ଭିଏଚଏଫ ସେଟଗୁଡିକୁ ଜବତ କରିଛି । ଏସମ୍ପର୍କରେ ସାମୁଦ୍ରିକ ଥାନାଧିକାରିଣୀ ଶସ୍ମିତା ସାହୁଙ୍କୁ ପଚାରିବାରୁ ଭିଏଚଏଫ ସେଟ୍ଗୁଡିକ ଜବତ କରାଯାଇଛି । କାହାରି ବିରୁଦ୍ଧରେ ମକଦ୍ଦମା ହୋଇନାହିଁ କି କାହାରିଙ୍କୁ ଗିରଫ କରାଯାଇ ନାହିଁ । କେବଳ ଭିଏଚଏଫ ସେଟ ଜବତ କରାଯାଇ ଥାନା ଡାଇରୀରେ ଲିପିବଦ୍ଧ ହୋଇଛି ବୋଲି ସେ କହିଛନ୍ତି । ଯାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ପୋଲିସ ଓ ପ୍ରଶାସନ ଟ୍ରଲର ମାଲିକଙ୍କ ପ୍ରତି କୋହଳ ଭାବ ପୋଷଣ କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବେଆଇନ ଭିଏଚଏଫ ବନବିଭାଗର ପାଟ୍ରୋଲିଂ ସମ୍ବଦ୍ଧରେ ସୂଚନା ଦେଉଥିଲା ନାଁ ଦେଶ ବିରୋଧି ଶକ୍ତି ସହିତ ସମ୍ପର୍କ ରଖିଥିଲା । ତାହା ଅନୁସନ୍ଧାନ ସାପେକ୍ଷ । ପୋଲିସ ଚଢାଉ ପୂର୍ବରୁ ଗାୟବ ହୋଇଥିବା ଭିଏଚଏଫ ସେଟଗୁଡିକ ସମ୍ପର୍କରେ ତଦନ୍ତ ହେବ ତ ?