ଏଣିକି ଭୂଇଁତଳେ ମେଟ୍ରୋ: ପୃଥ୍ୱୀରାଜ
ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବା ନେଇ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର । ଏଥର କିନ୍ତୁ ଏଲିଭେଟେଡ୍ ପ୍ରକଳ୍ପ ପରିବର୍ତ୍ତେ ଅଣ୍ଡର୍ଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପକୁ ଇସାରା ଦେଇଛନ୍ତି ସରକାର । ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରଖିବାକୁ ହେଲେ ମେଟ୍ରୋ ଟ୍ରେନ୍ ହିଁ ଏଥିପାଇଁ ପ୍ରଯୁଜ୍ୟ ବୋଲି ଆଜି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି, ବିଭିନ୍ନ ଲଜିଷ୍ଟିକ ଏବଂ ସହରୀ ଯୋଜନା ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ଭୁବନେଶ୍ୱର ପାଇଁ ଏଲିଭେଟେଡ ମେଟ୍ରୋ ରେଳକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସହରର ଭୂଦୃଶ୍ୟ ଏବଂ ଟ୍ରାଫିକ ଭିଡ଼ ଏଲିଭେଟେଡ ମେଟ୍ରୋକୁ ସମର୍ଥନ କରୁନାହିଁ । ଆମେ ଏବେ ମାଟିତଳେ ମେଟ୍ରୋ ରେଳ ବ୍ୟବସ୍ଥା ସହ ଆଗକୁ ବଢ଼ୁଛୁ । ପ୍ରସ୍ତାବିତ ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏକ ନୂତନ ରୁଟ୍ ନିର୍ଦ୍ଧାରଣ କରାଯାଇ ନାହିଁ । ନଗର ଉନ୍ନୟନ ବିଭାଗକୁ ଏନେଇ ଅନୁରୋଧ କରାଯାଇଛି ଏବଂ ସର୍ଭେ ପାଇଁ କିଛି ସମୟ ଲାଗିବ । ଏଲିଭେଟେଡ ମେଟ୍ରୋ କରିଡର ଭୁବନେଶ୍ୱର ଏବଂ ଏହାର ଆଖପାଖର ସୌନ୍ଦର୍ଯ୍ୟକୁ କ୍ଷତି କରିବ । ଏଣୁ ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।