ଅପରାହ୍ନ ୧ଟା ସୁଦ୍ଧା ଦେଶରେ ୪୦.୦୯ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ୟ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେଅପରାହ୍ନ ୧ଟା ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ ହୋଇଛି।
ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୪୮.୬୩ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୩୭ ୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୭.୮୦ ପ୍ରତିଶତ, ଚଣ୍ଡିଗଡ଼ରେ ୪୦.୧୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୩୫.୬୫ ପ୍ରତିଶତ, ଝାଡ଼ଖଣ୍ଡରେ ୪୮.୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ମତଦାନ ହୋଇଛି।
ଲୋକସଭା ନିର୍ବାଚନ-୨୦୨୪ର ଚୂଡ଼ାନ୍ତ ପର୍ୟ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍ ୫୭ଟି ଆସନରେ ଭୋଟ୍ ଗ୍ରହଣ ହେଉଛି ।। ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୫୭ ଲୋକସଭା ଆସନ ସହ ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ୧୦.୦୬ କୋଟିରୁ ଅଧିକ ଭୋଟର ଏହି ପର୍ୟ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି। ଅନ୍ତିମ ପର୍ୟ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ହେଉଛି ।।
ଏହି ପର୍ୟ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଅଜୟ ରାୟ, କଙ୍ଗନା ରାଣାୱତ, ବିକ୍ରମାଦିତ୍ୟ ସିଂହ, ରବି କିଶନ, କାଜଲ ନିଶାଦ, ଅନୁରାଗ ଠାକୁର, ସତପାଲ ସିଂହ ଏବଂ ଅଭିଷେକ ବାନାର୍ଜୀ। ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସର ଅଜୟ ରାୟ ନିର୍ବାଚନ ଲଢ଼ୁଛନ୍ତି। ହିମାଚଳପ୍ରଦେଶର ମଣ୍ଡି ଆସନରେ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ ନିର୍ବାଚନ ଲଢ଼ୁଛନ୍ତି। ଗୋରଖପୁରରେ ବିଜେପିର ରବି କିଶନଙ୍କ ବିରୋଧରେ ସମାଜବାଦୀ ପାର୍ଟିର କାଜଲ ନିଶାଦ ନିର୍ବାଚନ ଲଢ଼ୁଛନ୍ତି। ହମିରପୁରରେ ବିଜେପିର ଅନୁରାଗ ଠାକୁରଙ୍କ ବିରୋଧରେ କଂଗ୍ରେସର ସତପାଲ୍ ସିଂହ ନିର୍ବାଚନ ଲଢ଼ୁଛନ୍ତି।