ମହାପ୍ରଭୁଙ୍କ ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ଆଧ୍ୟାତ୍ମିକ ସଭା
ଭଦ୍ରକ, : କାଳିଆକୁ ଆପଣେଇ ପାରିଲେ କାଳର ପ୍ରଭାବ ନଷ୍ଟ ହୋଇଥାଏ ବୋଲି ଭଦ୍ରକ ବ୍ଲକସ୍ଥ ସାହାଡା ଗ୍ରାମର ମହେଶ୍ୱର ଦାଶଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ସ୍ୱର୍ଗତ ଦାଶଙ୍କ ଉତ୍ତର ଦାୟାଦ ଡ଼ା. ପୂର୍ଣ୍ଣଚନ୍ଦ୍ର ଦାଶ, ଡ଼. ଶରତ ଚନ୍ଦ୍ର ଦାଶଙ୍କ ସହଯୋଗ କ୍ରମେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ପ୍ରଚାର ସମିତି ପକ୍ଷରୁ ଅପରାହ୍ନ ୫ ଘଟିକାରୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଦିବ୍ୟ ଚେତନା ଅଭିଯାନ ସଂକୀର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ସଭା ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପ. ଭାଗୀରଥି ନନ୍ଦଶର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଲଳିତ ମିଶ୍ର ବେଦପାଠ କରିଥିଲେ ଏଥିରେ ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଅଭୟ କୁମାର ଦାଶ, ମୁଖ୍ୟଅତିଥି ଭାବରେ ଡ. ଶରତ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ଲକ୍ଷ୍ମୀଧର ସାହୁ, ସମିତିର ବରିଷ୍ଠ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ସହଆବାହକ ବାବୁଲାଲ ଦାସ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ପ୍ରଚାର ସମିତିର ଲକ୍ଷ୍ୟ ଉଦେ୍ଦଶ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ସାହୁ ଶ୍ରୀ ଜଗନ୍ନାଥଙ୍କ ଆରାଧନାର ଅନୁଭୂତି ପ୍ରଦାନ କରିଥିଲେ ମୁଖ୍ୟବକ୍ତା ଶ୍ରୀ ଦାସ ଶ୍ରୀ ଜଗନ୍ନାଥଙ୍କୁ ଆପଣେଇ ପାରିଲେ ସମସ୍ତ ଦୁଃଖ, ଦୁର୍ଦ୍ଦଶା ନଷ୍ଟ ହୁଏ ବୋଲି ସୂଚାଇଥିଲେ । ମୁଖ୍ୟଅତିଥି ଶରତ ଚନ୍ଦ୍ର ଦାସ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ପ୍ରାଣରେ ଡାକିପାରିଲେ ଜୀବନର ମୁକ୍ତିମାର୍ଗ ସୁଗମ ହୋଇଯାଏ ବୋଲି ସୂଚାଇଥିଲେ । ଅଧ୍ୟକ୍ଷତା କରୁଥିବା ପ. ନନ୍ଦଶର୍ମା ତାଙ୍କ ବକ୍ତବ୍ୟରେ ୧୫ଟି ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ନିମନ୍ତେ ୬୦ ପଉଟି ଭୋଗ, ୧୪ ଭୁବନର ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ୫୬ ପ୍ରକାର ନୈବେଦ୍ୟ ସାମଗ୍ରୀର ରୂପାୟନ ପ୍ରତିପାଦନ କରିଥିଲେ । ବରିଷ୍ଠ ଉପଦେଷ୍ଟା ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ନିଜର ଅନୁଭୂତି ପ୍ରକାଶ କରିଥିଲେ । ପ୍ରଚାର ସମିତିର ସେବକ ଶ୍ରୀ ସନାତନ ସାହୁ ଓ ଶ୍ରୀ କାହ୍ନୁଚରଣ ଦାସ ସମବେତ ଭକ୍ତଭକ୍ତାଙ୍କୁ ଡଙ୍କ ତୋରାଣୀ ବିତରଣ କରିଥିଲେ । ଏଥିରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଦେ, ସଦାନନ୍ଦ ପାଣିଗ୍ରାହୀ, ଗୋପବନ୍ଧୁ ମିଶ୍ର, ଲକ୍ଷ୍ମୀଧର ଖଟୁଆ, ଅର୍ଣ୍ଣପୂର୍ଣ୍ଣା ସାହୁମ ଅନିତା କର, ଧନଞ୍ଜୟ ସାହୁ, ସୌମ୍ୟରଞ୍ଜନ ବାରିକ ସହଯୋଗ କରିଥିଲେ । ସନାତନ ସାହୁଙ୍କ ତତ୍ୱାବଧାନରେ ଶିଶୁ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସମିତିର ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢୀ ପ୍ରବଚନ ପ୍ରଦାନ କରିଥିଲେ ।