ପାଣି ପାଇଁ ରାସ୍ତାରୋକ୍
ନବରଙ୍ଗପୁର: ଡହଡହ ଖରାକୁ ଉକôଟ ପାନୀୟ ଜଳ ସମସ୍ୟା । ପ୍ରତିବାଦରେ ଗରା, ବାଲଟି, ହାଣ୍ଡି ରଖି ରାସ୍ତା ରୋକ କରିଲେ ମହିଳା । ନବରଙ୍ଗପୁର ସହର ହିର୍ଲି ଗ୍ରାମର ମହିଳା ମାନେ ପାଣି ପାଇଁ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଏଭଳି ପାନୀୟ ଜଳ ସମସ୍ୟା ଭୋଗ କରୁଥିବା ଅଭିଯୋଗ କରିଛନ୍ତି ଲୋକେ । ରାସ୍ତାରୋକ ଫଳରେ ହିର୍ଲି ବାଇପାସ ରାସ୍ତା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବିଭାଗୀୟ ଅଧିକାରୀ ଙ୍କ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଲା ରାସ୍ତାରୋକ । ଦୀପ ତଳ ଅନ୍ଧାର ନ୍ୟାୟ ରେ ନବରଙ୍ଗପୁର ସହରକୁ ପାଣି ଯୋଗାଉଥିବା ହିର୍ଲି ଡ଼ଙ୍ଗରି ଅଞ୍ଚଳ ହିଁ ପାନୀୟ ଜଳ ସମସ୍ୟାରେ ବୁଡି ରହିଛି । ଗ୍ରାମରେ ତିନି ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଦୁଇଟି ମାତ୍ର ନଳକୂପ ରହିଛି । କିନ୍ତୁ ସେହି ନଳକୁପରୁ ମଧ୍ୟ ଗୋଳିଆ ପାଣି ବାହାରୁଛି । ଯାହାଫଳରେ ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଗୋଳିଆ ପାଣି ପିଇ ରୋଗରେ ପଡୁଛନ୍ତି । ଅନ୍ୟପକ୍ଷରେ ଗ୍ରାମର ପାହାଡ଼ ଉପରେ ପାଣି ଟାଙ୍କି କରାଯାଇ ନବରଙ୍ଗପୁର ସହରକୁ ପାଣି ଜୋଗାଇ ଦିଆଯାଉଛି । କିନ୍ତୁ ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ପ୍ରତି କାହାରି ନିଘା ନ ଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି କିନ୍ତୁ ପ୍ରତିଥର ସମସ୍ତଙ୍କ ନିକଟରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳୁଛି କିନ୍ତୁ ତାହାର ସମାଧାନ ହୋଇପାରୁନାହିଁ । ତେଣୁ ସମସ୍ୟାର ସମାଧାନ ନ ହେବା ଯାଏଁ ରାସ୍ତାରୋକରୁ ନ ହଟିବା ଜିଦରେ ଅଟଳ ରହିଥିଲେ । ଅପରପକ୍ଷରେ ଖରା ଦିନରେ ଜଳସ୍ତର ତଳକୁ ଚାଲିଯାଇଥିବାରୁ ନଳକୂପରୁ ଏଭଳି ସମସ୍ୟା ଉପୁଜିଛି ଏବଂ ସମସ୍ୟାର ସମାଧାନ ନେଇ ସ୍ଥାନୀୟ ସରପଞ୍ଚଙ୍କ ସ୍ତରରେ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ହରିଶ୍ଚନ୍ଦ୍ର ନାୟକ କହିଛନ୍ତି । ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବର୍ତ୍ତମାନ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦିଆଯିବ ବୋଲି କହିଛନ୍ତି ଅଧିକାରୀ । ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଛି । ଡହଡ଼ହ ଖରାରେ ଲୋକେ ସନ୍ତୁଳିତ ହେଉଥିବା ବେଳେ ପାଣି ସମସ୍ୟା ଲୋକଙ୍କୁ ଅଧିକ ସନ୍ତୁଳିତ କରୁଛି । ଦୀପ ତଳ ଅନ୍ଧାର ଭଳି ସହର ନିକଟ ଗାଁରେ ପାଣି ପାଇଁ ଡହଳବିକଳ ହେବା ପତିତାପର ବିଷୟ ପାଲଟିଛି ।