ରେଟିନୋବ୍ଲାଷ୍ଟୋମା ଉପରେ ସଚେତନତା ପାଇଁ ହ୍ୱାଇଟାଥନ୍ ଅନୁଷ୍ଠିତ

whitethan

ରେଟିନୋବ୍ଲାଷ୍ଟୋମା ଉପରେ ସଚେତନତା ପାଇଁ ହ୍ୱାଇଟାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ରେଟିନୋବ୍ଲାଷ୍ଟୋମା (ଶିଶୁଙ୍କ ଚକ୍ଷୁ କର୍କଟ ରୋଗ) ର ପ୍ରାରମ୍ଭିକ ଚିହ୍ନଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ 'ହ୍ୱାଇଟାଥନ୍'ର ସପ୍ତମ ସଂସ୍କରଣର ଏକ ପଦଯାତ୍ରା କରାଯାଇଥିଲା।ଏହି କାର୍ୟ୍ୟକ୍ରମ ପ୍ରତିବର୍ଷ ମଇ ମାସର ଦ୍ୱିତୀୟ ରବିବାର ପରବର୍ତ୍ତୀ ସପ୍ତାହରେ ପାଳିତ ହେଉଥିବା ବିଶ୍ୱ ରେଟିନୋବ୍ଲାଷ୍ଟୋମା ସଚେତନତା ସପ୍ତାହ ଉଦ୍ଦେଶ୍ୟରେ କରାଯାଇଥାଏ।ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ସଚେତନତା ଅଭିଯାନ ପାଇଁ ସେମାନଙ୍କର ସମର୍ଥନ ଜଣାଇଥିଲେ।

ଭୁବନେଶ୍ୱର ଏଲଭିପିଇଆଇ ମିଠୁ ତୁଳସୀ ଚାନରାଇ କ୍ୟାମ୍ପସର ପରାମର୍ଶଦାତା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ ଲୋକଙ୍କ ମଧ୍ୟରେ ରେଟିନୋବ୍ଲାଷ୍ଟୋମା ରୋଗର ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ଏବଂ ବିସ୍ତୃତ ଭାବରେ କହିଥିଲେ ଯେ, "ଆମେ ଲୋକଙ୍କୁ, ବିଶେଷ କରି ଯୁବ ପିତାମାତାଙ୍କୁ ରେଟିନୋବ୍ଲାଷ୍ଟୋମା ରୋଗର ଲକ୍ଷଣ ବିଷୟରେ ବୁଝାଇବା ଗୁରୁତ୍ୱପୂର୍ଣ୍ଣ।ସମସ୍ତେ ଜାଣିବା ଉଚିତ ଯେ ଶିଶୁର ଆଖିରେ ଧଳା ଦାଗ ଦେଖାଗଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏହାର ପରୀକ୍ଷା କରାଯିବା ଆବଶ୍ୟକ। ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଶିଶୁର ଜୀବନ, ଚକ୍ଷୁ ଏବଂ ଦୃଷ୍ଟିଶକ୍ତି ରକ୍ଷା କରିପାରିବ।" ଚଳିତବର୍ଷ, ୨୫୦ରୁ ଅଧିକ ଉତ୍ସାହୀ ଅଂଶଗ୍ରହଣକାରୀ ଏଥିରେ ଭାଗନେଇ ଏହି କାର୍ୟ୍ୟକ୍ରମ ପ୍ରତି ଦୃଢ଼ସମର୍ଥନ ପ୍ରଦର୍ଶନ କରିଥିଲେ। ଉଲ୍ଲେଖ ଥାଉ କି ରେଟିନୋବ୍ଲାଷ୍ଟୋମା ଏକ ବିରଳ ଚକ୍ଷୁ କର୍କଟ ରୋଗ ଯାହା ମୁଖ୍ୟତଃ ତିନିବର୍ଷରୁ କମ ବୟସର ଶିଶୁଙ୍କୁ ପ୍ରଭାବିତ କରେ ।ଏହା ଟ୍ୟୁମର ଦମନକାରୀ "ଆରବୀ ଜିନ୍" ନଷ୍ଟ ହେବା ଦ୍ୱାରା ହୁଏ।ଏହି ଜିନର କାର୍ୟ୍ୟ ହେଉଛି ସାଧାରଣ କୋଷଗୁଡ଼ିକୁ କର୍କଟ ରୋଗରେ ପରିଣତ ହେବାରୁ ରୋକିବା।ଏହି ଜିନର କାର୍ୟ୍ୟକ୍ଷମତା ହ୍ରାସ ହେବା ଦ୍ଵାରା କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୁଏ ଯାହାଫଳରେ ଏକ ମାରାତ୍ମକ ଟ୍ୟୁମର ସୃଷ୍ଟି ହୁଏ।

ପ୍ରତିବର୍ଷ ଏଲଭିପିଇଆଇ ଏହାର ସମଗ୍ର ନେଟୱାର୍କରେ ୧୫୦ ରୁ ୨୦୦ ନୂତନ ରେଟିନୋବ୍ଲାଷ୍ଟୋମା ରୋଗୀଙ୍କୁ ଚିକିତ୍ସା କରିଥାଏ।ଏଲଭିପିଇଆଇଠାରେ ଚିକିତ୍ସା କରାଯାଇଥିବା ୯୦% ମାମଲାରେ ଶିଶୁଙ୍କ ଜୀବନରକ୍ଷା ସମ୍ଭବ ହୋଇଛି। ଅବଶ୍ୟ, ଏହି ମାମଲାରେ କେବଳ ୪୫% କ୍ଷେତ୍ରରେ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରିଛି ଏବଂ ଅବଶିଷ୍ଟ ୫୫%ବ୍ୟକ୍ତି, ରୋଗ ବିଳମ୍ବରେ ଜଣାପଡ଼ିବା ଯୋଗୁଁ ଦୃଷ୍ଟିଶକ୍ତି ହରାଇଥାନ୍ତି।