ମହିଳାଙ୍କ ସୁରକ୍ଷା ଏବେ ବିପଦରେ: ସ୍ନେହାଙ୍ଗିନୀ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ମହିଳା ମାନଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଉଥିବା ବେଳେ ବିଜୁ ମହିଳା ଜନତା ଦଳ ରାଜ୍ୟର ଅବହେଳିତ ଓ ନିଷ୍ପେସିତ ମହିଳା ମାନଙ୍କ ସ୍ୱର ହେବ ଓ ତାଙ୍କ ନ୍ୟାୟ ପାଇଁ ଲଢେଇ କରିବ ବୋଲି କହିଛନ୍ତି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ ପ୍ରଥମେ ତାଙ୍କୁ ପୁଣିଥରେ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ ୧୫ ମାସର ବିଜେପି ଶାସନରେ ରାଜ୍ୟର ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି ଓ ମହିଳାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରାଯାଇଥିଲା । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବା ସହିତ ସମାଜରେ ନିଜର ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଜେପି ସରକାରଙ୍କ ୧୫ ମାସର ଶାସନ ସମୟରେ ମହିଳା ମାନଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ଦେଉଥିବା କାର୍ଯ୍ୟକ୍ରମ ମିଶନ ଶକ୍ତି ଏବେ ବନ୍ଦ ହେବାକୁ ବସିଲାଣି । ଏହାଛଡା ପ୍ରାୟ ୪ ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ଓ ରାଜ୍ୟରେ ପ୍ରାୟ ୧୫ ଜଣ ମହିଳା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି । ବିଭିନ୍ନ ଅତ୍ୟାଚାରର ଶିକାର ହେଉଥିବା ମହିଳା ଓ ଛାତ୍ରୀ ମାନେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଦୁଷ୍କର୍ମ, ଅସଦାଚରଣ ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ମଣ୍ଡନ କରୁଥିବା ବେଳେ ସରକାର ଏହାକୁ ରୋକିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଅପରାଧୀ ମାନଙ୍କୁ ଗିରଫ କରାଯାଉଛି । ତେଣୁ ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା, ସମ୍ମାନ ପାଇଁ ଲଢେଇ ଜାରି ରହିବ । ବିଜୁ ମହିଳା ଜନତା ଦଳ ଆଜି ସଙ୍କଳ୍ପ ନେଉଛି ଯେ, ରାଜ୍ୟର ମହିଳା ମାନଙ୍କ ନ୍ୟାୟ ପାଇଁ ସ୍ୱର ଶାଣିତ କରିବ ।