ଥାନାକୁ ନୁହେଁ, ଘରକୁ ଗଲେ ଜଗନ୍ନାଥ
jagannath pradhan

ଭୁବନେଶ୍ୱର : ରାଜ୍ୟ ସଭାପତି ଡାକିଥିଲେ । ଆଲୋଚନା କଲି, ଏବେ ଘରକୁ ଯାଉଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଏହି ପଦିଏ କଥା ଏବେ ଚର୍ଚ୍ଚା ସୃଷ୍ଟିକରିଛି ।
ସଂଧ୍ୟା ସାଢେ଼ ୬ଟା । ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଫେସବୁକ୍ ପୋଷ୍ଟ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଯାହାର ସାରାଂଶ ଥିଲା, ରାଜ୍ୟ ଓ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି । ଏହାପରେ ପରେ ଭୁବନେଶ୍ୱର ବିଜେପି ଚଳଚଞ୍ଚଳ ହୋଇଯାଇଥିଲା । ସେପଟେ ଖାରବେଳନଗର ଥାନା ଆଗରେ ୨ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଫଳରେ ଜଗନ୍ନାଥ ପ୍ରଧାନ ସରେଣ୍ଡର କରିବେ ଓ ଗିରଫ ହେବେବୋଲି ଗଣମାଧ୍ୟମରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା ।
ଜଗା ତାଙ୍କ ଫେସବୁକ୍ରେ ପୋଷ୍ଟ କରିଥିଲେଯେ, ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି । ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି ।
ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।
ଏହା ପରେ ପରେ ଜଗା ନିଜ ସମର୍ଥକମାନଙ୍କ ଗହଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ଏହି ଖବର ପାଇଁ ଅନେକ ବିଜେପି ନେତା ଓ କର୍ମୀ ବି ବିଜେପି ଅଫିସରେ ପହଁଚି ଯାଇଥିଲେ । ମନମୋହନ ସାମଲ ଓ ଅନ୍ୟ ବିଧାୟକ ତଥା ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜଗାଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା । ଯେକୌଣସି ମୁହୂର୍ତ୍ତରେ ଜଗା ଖାରବେଳ ଥାନାକୁ ଯିବେ ଓ ତାଙ୍କୁ ଗିରଫ କରାଯିବ ବୋଲି ଚର୍ଚ୍ଚା ବି ଜୋର୍ ଧରିଥିଲା । ହେଲେ ଘଣ୍ଟା ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ବସିଥିଲା । ଜଗା ଇସ୍ତଫା ଦେବେ ନା ଗିରଫ ହେବେ ତାହାକୁ ନେଇ ଚର୍ଚ୍ଚା ବି ଆଗକୁ ବଢ଼ିଥିଲା । ତେବେ ଆଗକୁ କ’ଣ ହେବ କିଛି ବି ଜଣାପଡୁନଥିଲା ।