ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା କାର୍ଡ ନବୀକରଣ କେବେ?

ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା କାର୍ଡ ନବୀକରଣ କେବେ?

ଭୁବନେଶ୍ୱର:  ପ୍ରତି ବର୍ଷ ଅଗଷ୍ଟ ମାସରେ ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ କାର୍ଡ ମିଳିଯାଇଥାଏ। ମାତ୍ର ଚଳିତ ବର୍ଷ ସରକାର ପରିବର୍ତ୍ତନ ପରେ ଏଥିରେ ବ୍ୟତିକ୍ରମ ଘଟିଛି ଓ ବର୍ତ୍ତମାନ ପର୍ୟ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକୁ ନେଇ କାର୍ୟ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ୟ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାରସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ରାଜ୍ୟ ସରକାର ହେରିଟେଜ୍‌‌ ହେଲ୍‌‌ଥ ଇନସ୍ୟୁରାନ୍ସ ସଂସ୍ଥା ସହ ଚୁକ୍ତି କରିଛନ୍ତି ଏବଂ ଏହି ବୀମା କମ୍ପାନୀ ଦ୍ୱାରା ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ପ୍ରତି ବର୍ଷକୁ ବର୍ଷ ଏହି କାର୍ଡ ନବୀକରଣ କରାଯାଉ ଥିବା ବେଳେ ନୂଆ ସାମ୍ବାଦିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ପୂର୍ବରୁ ଅଫଲାଇନ୍‌‌ ମାଧ୍ୟମରେ ଏଥିପାଇଁ ଆବେଦନ ହେଉଥିବା ବେଳେ ଗତବର୍ଷଠାରୁ ଆବେଦନ ଅନଲାଇନ୍‌‌ ମାଧ୍ୟମରେ କରାଯାଉଛି। ସମ୍ପ୍ରତି ଅଗଷ୍ଟ ମାସର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଓଡ଼ିଶା କର୍ମଜୀବୀ ସାମ୍ୱାଦିକ କଲ୍ୟାଣ’ ଆବେଦନ ପୋର୍ଟାଲ ଖୋଲିନାହିଁ। ଚଳିତ ବର୍ଷ ବଜେଟରେ ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ପାଇଁ ବ୍ୟୟବରାଦ ହୋଇ ନ ଥିବାରୁ ବୀମାକୁ ନେଇ କାର୍ୟ୍ୟରତ ସାମ୍ବାଦିକମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି।