ଅକଳରେ ପକାଇଦେଲେ ଜଗା : ‘ଆଲୋଚନା କଲି, ଘରକୁ ଯାଉଛି...’

ଭୁବନେଶ୍ୱର: ‘ମୁଁ ଆଇନ୍କୁ ସମ୍ମାନ ଦେବି’ । ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଏହି ପଦିଏ କଥା ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ଖାରବେଳ ଥାନା ପରିସରକୁ ଚଳଚଞ୍ଚଳ କରିଦେଇଥିଲା  । କିଏ କହିଲେ ସେ ଇସ୍ତଫା ଦେବେ ତ ଆଉ କିଏ କହିଲେ ଖାରବେଳନଗର ଥାନାରେ ଆତ୍ମସମର୍ପଣ କରିବେ  । ଘଣ୍ଟା ଘଣ୍ଟା ଧରି ରାଜନୀତିକ ମହଲର ନଜର ଜଗାଙ୍କ ଉପରେ ହିଁ ଥିଲା  । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବି ମାନସମନ୍ଥନ ଚାଲିଲା  । ହେଲେ ଶେଷକୁ ଜଗା କହିଲେ, ସଭାପତି ଡାକିଥିଲେ  । ଆଲୋଚନା କଲି, ଏବେ ମୁଁ ମୋ ଘରକୁ ଯାଉଛି  । ବାସ୍ ଜଗାଙ୍କ ଏହି ପଦିକ କଥା ବିଜେପି ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  । ସଂଧ୍ୟା ସାଢ଼େ ୬ଟା  । ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଫେସବୁକ୍ ପୋଷ୍ଟ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ଯାହାର ସାରାଂଶ ଥିଲା, ରାଜ୍ୟ ଓ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି  । ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି  । ଏହାପରେ ପରେ ଭୁବନେଶ୍ୱର ବିଜେପି ଚଳଚଞ୍ଚଳ ହୋଇଯାଇଥିଲା  । ସେପଟେ ଖାରବେଳନଗର ଥାନା ଆଗରେ ୨ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା  । ଫଳରେ ଜଗନ୍ନାଥ ପ୍ରଧାନ ସରେଣ୍ଡର କରିବେ ଓ ଗିରଫ ହେବେବୋଲି ଗଣମାଧ୍ୟମରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା  । ଜଗା ତାଙ୍କ ଫେସବୁକ୍ରେ ପୋଷ୍ଟ କରିଥିଲେଯେ, ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି  । ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ  । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି  । ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି  । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି  । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି  । ଏହା ପରେ ପରେ ଜଗା ନିଜ ସମର୍ଥକମାନଙ୍କ ଗହଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ  । ଏହି ଖବର ପାଇଁ ଅନେକ ବିଜେପି ନେତା ଓ କର୍ମୀ ବି ବିଜେପି ଅଫିସରେ ପହଁଚି ଯାଇଥିଲେ  । ମନମୋହନ ସାମଲ ଓ ଅନ୍ୟ ବିଧାୟକ ତଥା ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜଗାଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା  । ଯେକୌଣସି ମୁହୂର୍ତ୍ତରେ ଜଗା ଖାରବେଳ ଥାନାକୁ ଯିବେ ଓ ତାଙ୍କୁ ଗିରଫ କରାଯିବ ବୋଲି ଚର୍ଚ୍ଚା ବି ଜୋର୍ ଧରିଥିଲା  । ହେଲେ ଘଣ୍ଟା ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ବସିଥିଲା  । ଜଗା ଇସ୍ତଫା ଦେବେ ନା ଗିରଫ ହେବେ ତାହାକୁ ନେଇ ଚର୍ଚ୍ଚା ବି ଆଗକୁ ବଢ଼ିଥିଲା  । ତେବେ ଆଗକୁ କ’ଣ ହେବ କିଛି ବି ଜଣାପଡୁନଥିଲା  ।  ପ୍ରାୟ ଅଢ଼େଇ ଘଣ୍ଟା ଧରି ଆଲୋଚନା କରିବା ପରେ ଜଗା ଦଳୀୟ କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ  । ତାଙ୍କ ସହ ଥିଲେ ଏକାମ୍ର ବିଧାୟକ ବାବୁ ସିଂ  । ଶହ ଶହ କାର୍ଯ୍ୟକର୍ତ୍ତା ବି ଉପସ୍ଥିତ ଥିଲେ  । ଗଣମାଧ୍ୟମକୁ ଜଗା କହିଥିଲେଯେ, ରାଜ୍ୟ ସଭାପତି ଆଲୋଚନା ପାଇଁ ଡାକିଥିଲେ  । ସେ ଯାହା ପଚାରିଲେ କହିଲି  । ଏବେ ମୁଁ ଘରକୁ ଯାଉଛି  । ଏତିକି କହି ସେ ପଳାଇଥିଲେ  । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତିଯେ, ଆମେ ବିଏମସି ଘଟଣାକୁ ନିନ୍ଦା କରିଛୁ  । କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରିଛୁ  । ସେମାନଙ୍କୁ ଗିରଫ କରାଯାଇଛି  । ଆଜି ଆମେ ଦଳୀୟ ବିଷୟରେ ଆଲୋଚନା କରିଥିଲୁ  । ଏ ବିଷୟରେ କହିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି  ।