ସାଧନାରୁ ସିଦ୍ଧି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ସାଧନାରୁ ସିଦ୍ଧି କେମିତି ପ୍ରାପ୍ତ ହୋଇଯାଏ, ସେନେଇ କିଛି ସାରଗର୍ଭକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଏକ ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରନ୍ତି । ଏହି ଉଦ୍ୟମକୁ ସାଧନା କୁହାଯାଏ । ଯେକୌଣସି ଏକ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଉଦ୍ୟମ ନଥିଲେ ସଫଳତା ମିଳେ ନାହିଁ । ଏହି ଉଦ୍ୟମ ହିଁ ସାଧନା । ବଡ଼ ବଡ଼ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି । ଜୀବନରେ ଯେକୌଣସି ଦିଗରେ ସଫଳ ହେବା ପାଇଁ ଉପଯୁକ୍ତ ଭାବରେ କଠିନ ସାଧନା କରିବାର ଆବଶ୍ୟକତା ରହିଛି । ଆଉ ଉପଯୁକ୍ତ ଢ଼ଙ୍ଗରେ ଯେଉଁମାନେ ସାଧନା କରନ୍ତି ସେମାନଙ୍କ ଲକ୍ଷ୍ୟ ନିଶ୍ଚିତ ରୂପେ ପୂରଣ ହୁଏ । ବିନା ସାଧନାରେ ଅନୈତିକ ଉପାୟରେ ହୁଏତ ଲକ୍ଷ୍ୟ ହାସଲ କରାଯାଇପାରେ ମାତ୍ର ସେ କ୍ଷେତ୍ରରେ ଦକ୍ଷତା ହାସଲ କରିହେବ ନାହିଁ । ତେଣୁ ସାଧନା କ୍ଷେତ୍ରରେ ଦକ୍ଷତା ଏକ ବଡ଼ ପ୍ରସଙ୍ଗ ।
ପୁଣି ଯେକୌଣସି ସାଧନା ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଧୈର୍ଯ୍ୟ ନଥାଇ ସାଧନା ମଧ୍ୟ ନିଷ୍ଫଳ ହୋଇ ଯାଇପାରେ । ସାଧନାର ଉଦ୍ୟମ କୌଣସି ଏକ ଲକ୍ଷ୍ୟ ହାସଲ ପାଇଁ କରାଯାଏ । ଲକ୍ଷ୍ୟ ହାସଲ ପୂର୍ବରୁ ସାଧନା କରୁଥିବା ବ୍ୟକ୍ତି ବା ସାଧକକୁ ସାଧନାଚୁ୍ୟତ କରାଇବା ପାଇଁ ଅନେକ ପ୍ରକାରର ବାଧାବିଘ୍ନ ଆସେ । ସାଧନା କୌଣସି ଏକ ସହଜମାର୍ଗ ନୁହେଁ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ, ସଫଳତା ହାସଲ ପାଇଁ ଏକାଗ୍ରତା, ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିବାର ସାହସ ଆଦି ରହିଥିବା ବ୍ୟକ୍ତି ହିଁ ସାଧନାରୁ ସିଦ୍ଧି ଆଡ଼କୁ ଅଗ୍ରସର ହୁଏ । ଉଦ୍ୟମରେ ନିଶ୍ଚିତ ରୂପେ ବିଫଳତା ଆସେ । ଅଥଚ ବାରମ୍ବାର ବିଫଳତା ପରେ ଉଦ୍ୟମ ଜାରି ରଖିଲେ ପ୍ରତିବନ୍ଧକ ଏବଂ ବାଧାବିଘ୍ନର ପରାଜୟ ଏବଂ ଉଦ୍ୟମ ତଥା ସାଧନାର ବିଜୟ ଘଟେ ।
ମନୁଷ୍ୟ ଶିଶୁ ଜନ୍ମ ହେବା ପରେ ସମ୍ପୂର୍ଣ୍ଣ ଅସହାୟ ଥାଏ । ଛିଡା ହେବା ତାହା ପକ୍ଷେ ସମ୍ଭବପର ହୁଏ ନାହିଁ, କିନ୍ତୁ ଶିଶୁ ବାରମ୍ବାର ପଡି ଉଠି ଚାଲିବା ଶିଖେ । ସେଥିପାଇଁ କୁହାଯାଇଛି ପ୍ରତ୍ୟେକ ସଫଳତା ପୂର୍ବରୁ ଅନେକ ଥର ବିଫଳତା ଆସିବ । ହେଲେ ବିଫଳତା ସତ୍ତ୍ୱେ ବାରମ୍ବାର ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।