ବୁଦ୍ଧାନୁକୂଳଂ ଶରଣଂ ଗଚ୍ଛାମି
ଧର୍ମଯାଜକ (ଋତ୍ୱିକ୍) ଉପଗୁପ୍ତଙ୍କର ଏକ ଭଜନର ତାନରେ ସମ୍ରାଟ ଅଶୋକଙ୍କର ଅନ୍ତରସ୍ଥଳ ଜାଗି ଉଠିଥିଲା । ଉପଗୁପ୍ତଙ୍କ ମାଧ୍ୟମରେ ସମ୍ରାଟ ଅଶୋକ ଭଗବାନ ବୁଦ୍ଧଙ୍କୁ ଉପଲବ୍ଧି କରିଥିଲେ । ବୈଶିଷ୍ଟ୍ୟ ପାଳୀ ଆପୂରୟମାଣ ଧର୍ମପ୍ରବର୍ତ୍ତକଗଣ ସମସ୍ତେ ଏକବାର୍ତ୍ତାବାହୀ ଓ ଏକସତ୍ତାବାହୀ । ବୌଦ୍ଧମତ ଓ ହିନ୍ଦୁମତରେ ପାର୍ଥକ୍ୟ ବହୁତ କମ୍ । ଭଗବାନ ବୁଦ୍ଧ ଗୃହୀମାନଙ୍କ ପାଇଁ ଗୃହୀ ଉପଯୋଗୀ ନିଦେ୍ର୍ଦଶ ଦେଇଛନ୍ତି । ପୁଣି ଭିକ୍ଷୁକ ବା ସନ୍ନ୍ୟାସୀ ମାନଙ୍କ ନିମିତ୍ତ ସନ୍ନ୍ୟାସୀ ଉପଯୋଗୀ ନିଦେ୍ର୍ଦଶ ଦେଇଛନ୍ତି । ଗୃହୀମାନଙ୍କର ବିବାହ, ଚାଲିଚଳନ ସମ୍ବନ୍ଧରେ ଯେଉଁସବୁ ନିଦେ୍ର୍ଦଶ ଦେଇଛନ୍ତି ତାହା ସଙ୍ଗେ ବର୍ଣ୍ଣାଶ୍ରମର କୌଣସି ବିରୋଧ ନାହିଁ । ବର୍ଣ୍ଣାଶ୍ରମ ହେଉଛି ଏକ ବିଜ୍ଞାନ-ଭିତ୍ତିକ ସମାଜ ବିଧାନ । ଏହି ଭିତ୍ତିଭୂମି ଭାଙ୍ଗିଦେଲେ ମନୁଷ୍ୟର ଅନ୍ତରରେ ଓ ବାହାରେ ଏକ ବିଶୃଙ୍ଖଳ ଅବସ୍ଥା ସୃଷ୍ଟି ହୁଏ । ଭଗବାନ ବୁଦ୍ଧଙ୍କର ଅଷ୍ଟଶୀଳ ନୀତି ସମ୍ବନ୍ଧରେ ବୁଝାଇବାକୁ ଯାଇ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରକାଶ କଲେ - ସତ୍ଦୃଷ୍ଟି, ସତ୍ସଂକଳ୍ପ, ସତ୍ବାକ୍ୟ, ସତ୍ବ୍ୟବହାର, ସଦୁପାୟେ ଜୀବିକାହରଣ, ସତ୍ଚେଷ୍ଟା, ସତ୍ସ୍ମୃତି ଓ ସମ୍ୟକ୍ ସମାଧି ଇତ୍ୟାଦି ଅଲଗା ଅଲଗା ବ୍ୟାପାର ନୁହେଁ ।
ମହାପ୍ରଭୁ ବୁଦ୍ଧଦେବଙ୍କର ପାଞ୍ଚଜଣ ପ୍ରମୁଖ ଶିଷ୍ୟ ଥିଲେ । ମହାପ୍ରଭୁ ଅତି କୃଚ୍ଛତା ତ୍ୟାଗକରି ମଧ୍ୟମପନ୍ଥା ଅବଲମ୍ବନ କରିବାରୁ ଏହି ଶିଷ୍ୟ ମାନଙ୍କ ମନରେ ପ୍ରଶ୍ନ ଓ ସନେ୍ଦହ ଜାଗ୍ରତ ହୋଇଥିଲା । ଭଗବାନ ବୁଦ୍ଧ ସେମାନଙ୍କୁ ପୁଣି ସାରନାଥରେ ଦେଖାକରି ସେମାନଙ୍କର ସନେ୍ଦହମୋଚନ କରି ସେମାନଙ୍କ ମାଧ୍ୟମରେ ଧର୍ମଚକ୍ର ପ୍ରବର୍ତ୍ତନ କରିଥିଲେ । ଏହି ପାଞ୍ଚଞ୍ଚଶିଷ୍ୟ ଥରେ ପ୍ରତ୍ୟୟଦୀପ୍ତ ହେବାପରେ ନିଃସଂଶୟ ଚିତ୍ତରେ ଆଦର୍ଶ ସତ୍ତାର କର୍ମରେ ଆତ୍ମନିୟୋଗ କରିଥିଲେ । ଅବତାର ପୁରୁଷମାନେ ସର୍ବଦା ନିଜ ପ୍ରତି ନିଷ୍ଠୁର କାରଣ ସେମାନେ ସର୍ବଦା ପରିବେଶର ପ୍ରତିପ୍ରତ୍ୟେକଙ୍କର ମଙ୍ଗଳ ସାଧନରେ ବ୍ୟସ୍ତ, ଅବଶ୍ୟ ମଙ୍ଗଳ ନିମିତ୍ତ ନିଜକୁ ସର୍ବସ୍ୱ ଦେବାପାଇଁ ସେମାନେ ଜଗତକୁ ଆସନ୍ତି, ନିଜ ପ୍ରତି ଚାହିଁବାର ଅବକାଶ ସେମାନଙ୍କ ପାଖରେ ନଥାଏ । ଏହିପରି ଅବସ୍ଥାରେ ପରିବେଶ ସେମାନଙ୍କ ପ୍ରତି ପ୍ରୀତିପରାୟଣ ହେଲେ ସେମାନେ ସ୍ୱସ୍ତି ଓ ଶାନ୍ତିରେ ରହିପାରନ୍ତି । ମହାପ୍ରଭୁ ବୁଦ୍ଧଦେବ କହିଥିଲେ - ଅହିଂସା ପରମ ଧର୍ମ । ମହାପ୍ରଭୁ ଯେତେବେଳେ ସଶରୀରରେ ରହି ଏହି ମର୍ତ୍ତ୍ୟଧାମରେ ଲୀଳାଖେଳ କରନ୍ତି ତାଙ୍କର କଥାବାର୍ତ୍ତା ଚଳନ ଓ ଭଙ୍ଗୀରେ ସମସ୍ତଙ୍କୁ ସତ୍ତାପ୍ରେମୀ ଓ ଆତ୍ମାଭିମୁଖୀ କରିଉଠାନ୍ତି । ପ୍ରଭୁ କରୁଣା ପରବଶ ହୋଇ ମାନବ ଜନ୍ମ ଗ୍ରହଣ କରନ୍ତି ଓ ଆମ୍ଭମାନଙ୍କର ମଙ୍ଗଳ ନିମିତ୍ତ ବହୁତ କଷ୍ଟ ସହ୍ୟ କରନ୍ତି । ସମସ୍ତଙ୍କୁ କାଳର ହାତରୁ ଉଦ୍ଧାର କରିବା ପାଇଁ ସେ କାଳାଧୀଶ ହୁଅନ୍ତି । ଦଶାବତାର ମଧ୍ୟରେ ମହାପ୍ରଭୁ ବୁଦ୍ଧ ଜଣେ । ମନୁଷ୍ୟର ଅନ୍ତରରେ ସବୁ ସମୟ ଏକ ଫାଙ୍କା ଫାଙ୍କା ଭାବ ଲାଗି ରହେ ଓ ତାହା ପୂର୍ଣ୍ଣ ହୁଏ ଯେତେବେଳେ ମନୁଷ୍ୟର ଅନୁରାଗ ଶ୍ରେୟ ନିବଦ୍ଧ ହୁଏ । ସେ ଅନୁରାଗ ହେବା ଉଚିତ ଅଚୁ୍ୟତ, ଦୁଃଖ-କଷ୍ଟ, ଦୈନ୍ୟ-ରୋଗ, ଶୋକ-ଆନନ୍ଦ ଇତ୍ୟାଦି ଦ୍ୱାରା ଅନୁରାଗ ଛିନ୍ନ ହୁଏନାହିଁ । ମନୁଷ୍ୟ ଜୀବନର ଯେତେକିଛି ପ୍ରଚେଷ୍ଟା ଏହି ଶୂନ୍ୟକୁ ପୂର୍ଣ୍ଣ କରିବା ପାଇଁ ଓ ପ୍ରେଷ୍ଠାନୁରାଗ ବ୍ୟତୀତ ଏହି ଶୂନ୍ୟ କେବେ ପୂର୍ଣ୍ଣ ହୁଏନାହିଁ । ମହାପ୍ରଭୁ ବୁଦ୍ଧଦେବ ସେଥିପାଇଁ ସବୁବେଳେ ନିର୍ବାଣ କଥା କହୁଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ବ୍ୟକ୍ତକଲେ, ଶୁଣିଛି - ଭକ୍ତ ଆନନ୍ଦ ମହାପ୍ରଭୁ ବୁଦ୍ଧଦେବଙ୍କ ସହିତ କେତେଗୁଡ଼ିକ ସର୍ତ୍ତ କରିଥିଲେ ସେଥିପାଇଁ ସେ ଅର୍ହ ପର୍ଯ୍ୟାୟରେ ଉନ୍ନୀତ ହୋଇପାରିନଥିଲେ । ଭଗବାନ ବା ଇଷ୍ଟଙ୍କ ପାଖରେ ଆମେ ଯେତେବେଳେ ଆତ୍ମୋତ୍ସର୍ଗ କରୁ ସେତେବେଳେ ଯଦି ନିଜସ୍ୱ ସର୍ତ୍ତ ରଖାଯାଏ ତାହା ଆତ୍ମ ବିକାଶର ପଥରେ ବାଧା ଦିଏ । ଇଷ୍ଟ ବା ଗୁରୁଙ୍କର ଇଛା ପୂରଣ ବ୍ୟତୀତ କୌଣସି ବ୍ୟକ୍ତିଗତ ପ୍ରତ୍ୟାଶା ଥିଲେ ଆତ୍ମୋନ୍ନତି ପଥରେ ଅନ୍ତରାୟ ହୁଏ । ଭକ୍ତ କଶ୍ୟପ, ସାରୀପୁତ୍ର ଓ ମୌଦଗଲ୍ଲାୟନ ଇତ୍ୟାଦି ଭକ୍ତମାନେ ଅର୍ହ ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲେ । ଶ୍ରୀ ଶ୍ରୀ ଠାକୁର ବ୍ୟକ୍ତକଲେ, ମୋର ମନେହୁଏ ଶ୍ରମଣ, ଜ୍ୟୋତି, ସନ୍ନ୍ୟାସୀ ଇତ୍ୟାଦି ଭକ୍ତମାନଙ୍କର ସମ୍ପଦ ହିଁ ତାଙ୍କର ଚରିତ୍ର, ତାଙ୍କର ଜୀବନ ଓ ତାଙ୍କ ତପସ୍ୟା । ଏହି ଚରିତ୍ର ଭିତରେ ହିଁ ଜାତିର ପ୍ରକୃତ ଉନ୍ନତି ଘଟେ । ବୌଦ୍ଧ ମତବାଦ ମଧ୍ୟରେ ଉପନିଷଦର କଥା ଅନେକ ଅଛି ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ: ୯୪୩୭୦୫୧୯୫୭