ଅଙ୍ଗନବାଡି କେନ୍ଦ୍ର ନାଁରେ ଟଙ୍କା ହଡପ
ରାଜନଗରରୁ ବସନ୍ତ କୁମାର ହାତୀ :
ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତର କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ମାତ୍ର ଏହି କେନ୍ଦ୍ରକୁ ପାଣି ପାଇପ ସଂଯୋଗ, ସୋଲାର, ଏଲଇଡି ଟିଭି ପ୍ରଭୃତି ସାମଗ୍ରୀ ଯୋଗାଇ ଦିଆଯାଇଥିବା ଦର୍ଶାଇ ଜାଲିଆତି ଭାବେ ଲକ୍ଷାଧିକ ଟଙ୍କାର ବିଲ ଉଠାଯାଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡିଓ ନିଶାନ ମିଶ୍ର ତଦନ୍ତ ସମୟରେ କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ଘର ନଥିବା ଦେଖିବାକୁ ପାଇଥିଲେ । ତଦନ୍ତ ସମୟରେ ଏହି କେନ୍ଦ୍ର ପାଇଁ ୧ଲକ୍ଷ ୧୧ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧିନ ସ୍ୱାଇଁ ଓ ସରପଞ୍ଚ ଗୋଲଖ ସ୍ୱାଇଁ ଉଠାଇଥିବା ଜଣାପଡିଥିଲା । ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସାମଗ୍ରୀ ଯୋଗାଣ ନାମରେ ହୋଇଥିବା ଦୁର୍ନିତୀର ତାଲିକା ଲମ୍ବିବାରେ ଲାଗିଛି । ଏହି ପଞ୍ଚାୟତର ଗର୍ଜନପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ଏହି କେନ୍ଦ୍ରରେ ଏଲଇଡି(ଟିଭି) ନଥିବା ବେଳେ ପାଣି ପାଇପ ସଂଯୋଗ ହୋଇନାହିଁ । ବଡଓଲରା ଅଙ୍ଗନବାଡି କେନ୍ଦ୍ର ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୨ରୁ ମେ ୨୦୨୨ ମଧ୍ୟରେ ବିଲ ନଂ- ୭୭୬୨୫୩୧୫ରେ ୧ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ସେହି କେନ୍ଦ୍ର ପାଇଁ ଦ୍ୱିତୀୟ ବିଲ ନଂ- ୭୭୬୨୫୮୨୧ରେ ୧ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ଏହି କେନ୍ଦ୍ରକୁ ପାଣି ମଟର(ଟୁଲୁ ମଟର) ଦିଆଯାଇନାହିଁ । କିଆଯୋଡି ଓ ସାନଓଲରା ଅଙ୍ଗନବାଡି କେନ୍ଦ୍ରକୁ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏଁ ସରାମ ଯୋଗାଇ ଦିଆଯାଇଛି । ଭାଟପଡା ଓ ସାନବଡଗୋପାଳପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୨୦୨୩ ବର୍ଷରେ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏ ଉଠାଇଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ନୁରୁଗାଁ ଓ ଜଗନ୍ନାଥପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଲେଖାଏଁ ବିଲ ଉଠାଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ସବୁଠାରୁ ବଡକଥା ହେଲା, ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଏକାପ୍ରକାର ସାମଗ୍ରୀ ଯୋଗା ଯାଇଥିବା ବେଳେ କେଉଁଠି ୧ଲକ୍ଷ ୧୧ହଜାର ତ ଆଉ କେଉଁଠି ୧ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଯୋଗା ଯାଇଥିବା ସାମଗ୍ରୀଗୁଡିକ ନିମ୍ନମାନର ଯୋଗୁଁ ସେଗୁଡିକ ଅଚଳ ହୋଇଥିବା ନେଇ ମନୋଜ ରାଉତରାୟ ଅଭିଯୋଗ କରିଛନ୍ତି । ଏହି ପଚାଂୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ତଦନ୍ତ କରାଗଲେ ଦୁର୍ନିତୀର ଚେର କେତେ ତଳକୁ ଯାଇଛି, ତାହାର ସତ୍ୟାସତ୍ୟ ଜଣାପଡିବ ବୋଲି ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି । ଗୋଟିଏ ଅଙ୍ଗନବାଡି କେନ୍ଦ୍ର କୁଶାଇଲୋ ଦୁର୍ନିତୀ ଘଟଣା ବିଡିଓଙ୍କ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଛି । ସମସ୍ତ କେନ୍ଦ୍ରକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ ହେଉଛି । ଏନେଇ ବିଡିଓ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ(ପିଡି)ଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଟଙ୍କା ଆଦାୟ ସହ ନିଲମ୍ବନ ପାଇଁ ସୁପାରିଶ କରିଛି । ସେଠାରୁ ଯାହା ନିଦେ୍ର୍ଦଶ ମିଳିବ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହି ଘଟଣା ୨୦୨୩ ମସିହା ନଭେମ୍ବର ମାସ ୨୭ତାରିଖ ଦିନ ଲୋକଲୋଚନକୁ ଆସିଥିଲା । ଏହାପରେ ପ୍ରଶାସନ ଏହି ମହାଦୁର୍ନିତୀକୁ ଏଯାବତ୍ ଚପାଇ ରଖିଛି । ଏହି ଘଟଣାରେ ସଂପୃକ୍ତ ଥିବା ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧିନ ସ୍ୱାଇଁ ଚଳିତ ବର୍ଷ ମେ ମାସ ୩୧ତାରିଖ ଦିନ ଅବସର ଗ୍ରହଣ କରିସାରିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ଲୋକଲୋଚନକୁ ଆସିଥିଲେ ମଧ୍ୟ ପ୍ରଶାସନ କାହା ଚାପରେ ଘଣ୍ଟ ଘୋଡାଇ ରଖିଛି ସାଧାରଣରେ ସନେ୍ଦହ ସୃଷ୍ଟି କରିଛି ।