ଅଙ୍ଗନୱାଡିରେ ଶିଶୁ ମୃତ

ଅଙ୍ଗନୱାଡିରେ ଶିଶୁ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କତଡା ପଞ୍ଚାୟତ ବଡ଼ମୁଳ ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଶିଶୁର ଅକସ୍ମାତ୍‌ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପିତାଚରି ଗାଁର ଚିକନ ଗଡନାୟକଙ୍କ ୪ ବର୍ଷର ପୁଅ ଆଜି ବଡ଼ମୂଳ ଅଙ୍ଗନୱାଡିକୁ ପଢିବାକୁ ଯାଇଥିଲା ।ତେବେ ସକାଳ ପ୍ରାୟ ୯.୩୦ ପରେ ଶିଶୁଟି ଖାଇ ସାରିବା ପରେ ଗୁରୁତର ହୋଇ ଯାଇଥିଲା । ଶିଶୁର ଅବସ୍ଥା ଦେଖି ତା ପରିବାର ଲୋକଙ୍କୁ ଖବର ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ଶିଶୁର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । କାହିଁକି ଓ କିଭଳି ତାର ମୃତ୍ୟୁ ହେଲା ତାହା ଜଣା ପଡିନାହିଁ । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହି ଥିବାରୁ ରାଜ୍ୟ ସରକାର ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ  । ତେବେ ୨୬ ତାରିଖ ପରେ ପାଗ ଦେଖି ସ୍କୁଲ ପଠାଇବାକୁ ନିର୍ଦ୍ଦେଶ ଥିଲା । ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଥିଲେ ମଧ୍ୟ ଏବେବି ତାପମାତ୍ରା ଅଧିକ ରହିଛି । ଏଭଳି ପରିସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ର କେଉଁ ପରିସ୍ଥିତିରେ ଖୋଲା ଯାଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।