ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ବର୍ଷାପାଣି ଝରୁଥିଲା ଆକାଶରୁ, ଝର ଝର ହୋଇ ପାଣି ଝରୁଥିଲା ଘରର ଛାତରୁ ।ଝରି ଝରି ପାଣି ମନ୍ଦା ହୋଇଯାଉଥିଲା, ଧାରା ହୋଇ ବୋହିଯାଉଥିଲା । ଏମିତି ବୋହୁଥିବା ପାଣି ଦେଖି ଅସୀମ ଭାବିଲେ ସେ ଚାଲିଚାଲି ବୁଲିବେ । ତେଣୁ ଅସୀମ ବାହାରକୁ ଛତା ଧରି ଚାଲିଗଲେ । ବଗିଚା ରାସ୍ତାରେ ବାଲି ଆଉ ଗୋଡି ପଡିଥିଲା । ଓଦା, କିନ୍ତୁ କାଦୁଅ ନଥିଲା । ବାହାରେ ଏକ ଛୋଟ ରାସ୍ତା। ଏମିତି ବି ସେମାନଙ୍କର ଆଉ ପ୍ରସାଦବାବୁଙ୍କ ଘର ପାଖାପାଖି ସମୁଦ୍ରକୂଳରେ । ସେମାନଙ୍କ ଅଫିସ, ତା’ପରେ କିଛି ଘର। ପାଖରେ ନନ୍ମାନଙ୍କ ଘର ଅଛି । ସେମାନେ ବଡ ନିଷ୍ଠାର ସହ ନିଜର ସବୁକାମ କରନ୍ତି । ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତି । ଦେହରେ ପ୍ରାୟ ଘିଅ-କମଳା ରଙ୍ଗର ଶାଢୀ ଆଉ ଲମ୍ବା ବ୍ଲାଉଜ ପିନ୍ଧନ୍ତି । ବ୍ୟବହାର ଅତି ଭଦ୍ର ଥାଏ । ଆଉ ପାଖ କଲୋନୀରେ ଅଛନ୍ତି ପଦ୍ମଶିବ, ଡୋମିନିକଙ୍କ ପରିବାର । ପଦ୍ମଶିବର ଦୁଇଜଣ ଛୁଆ । ବେଶ ଚଳ ଚଞ୍ଚଳ ଆଉ ଡୋମିନିକ ଝିଅ ତ ଲାଗେ ଏକ କଣ୍ଢେଇ । ଅତି ମଧୁର ଭାବେ କଥା କୁହେ । ଏମାନେ ପାଣିରେ ଚାଲିଚାଲି ସମସ୍ତଙ୍କ ଘର ଆଗରେ ବୁଲିବେ ଆଉ ଯଦି କିଏ ଝରକାରୁ ମୁଣ୍ଡ କାଢି ବାହାରକୁ ଅନାଇଥାଏ ତେବେ ତା’କୁ ବାହାରେ ବୁଲିବା ପାଇଁ ଡାକିବେ । ଝରୁଥିବା ବର୍ଷାରେ ବୁଲିବାକୁ ମଜା ଲାଗିବ ।
“ପାଦରେ କାଦୁଅ ଲାଗିବନି ଶୋଭନା ।”- ଅସୀମ ହସିକରି କହିଲେ ଆଉ ଶୋଭନାଙ୍କ ଆଡକୁ ଅନାଇଲେ । ଶୋଭନା ତଥାପି ପାଣିକୁ ଆସିବାପାଇଁ ରାଜି ହେଉନଥିଲେ । ଓଦାଳିଆ ପାଗରେ ଯେମିତି ଏକ ବାଛୁରୀ ତା’ ଘର ଛାଡି ବା ପୋଷା କୁକୁର ତା’ ଆରାମ ଶେଜ ଛାଡି ବାହାରକୁ ଆସିବାକୁ ମୋଟେ ରାଜି ହୁଏନା ସେଇମିତି । ବାହାରକୁ ଆଣିବାପାଇଁ ବେଶ ଫୁସୁଲାଇବାକୁ ପଡେ । ଅସୀମ ବାହାରେ ବହୁ ସମୟ ଠିଆହୋଇ ରହିଥିବାରୁ ଶୋଭନାଙ୍କୁ ଶେଷରେ ଆସିବାକୁ ପଡିଲା । ସେ ବହୁ କୁଣ୍ଠାର ସହ ଛତା ଧରି ପାଣିକୁ ବାହରି ଆସିଲେ । ସେମାନଙ୍କ ଗୋଡ ପାଣିରେ ବୁଡୁନଥିଲା, ସାମାନ୍ୟ ଓଦା ହେଉଥିଲା କିନ୍ତୁ ସେ ଟିପେଇ ଟିପେଇ ଚାଲୁଥିଲେ । ପ୍ରଥମେ ଅଫିସ ଆଉ ପରେ ପିଚୁ ରାସ୍ତାରେ ଚାଲିଲେ । କେହି ଝରକାରୁ ମୁଣ୍ଡ କାଢି ବର୍ଷା ଦେଖୁନଥିଲେ । ସମସ୍ତେ ବୋଧେ ବର୍ଷାର ରୁଣୁଝୁଣୁ ଶବ୍ଦ ଶୁଣୁଥିବେ । ହେଉ ଶୁଣୁଥାନ୍ତୁ । ସେମାନେ ଏମିତି ସମୁଦ୍ରକୂଳ ପର୍ଯ୍ୟନ୍ତ ଚାଲି ଚାଲି ଗଲେ । ସମୁଦ୍ର ଦେଖି ଶୋଭନାଙ୍କୁ ଖୁସି ଲାଗିଲା । ମୁହଁରେ ଛୋଟ ପାଣିର ବିନ୍ଦୁ ବାଜୁଛି । ଛତା ଉପରେ ଜୋରରେ ପାଣି ଛିଟୁକୁଛି । ସେମାନଙ୍କ ଚାରିପାଖେ ପାଣି ଯେମିତି କିଏ ଛିଞ୍ଚୁଛି । ଶୋଭନା ଅସୀମଙ୍କ ପାଖକୁ ଲାଗି ଆସିଲେ । ସମୁଦ୍ର ଭିତରଟା ବର୍ଷାଯୋଗୁ ଟିକେଧୂଆଁଳିଆ ଲାଗୁଥିଲା ।
“କାଦୁଅ ଶୋଭନା?”- ଅସୀମ ଥଟ୍ଟାରେ ଶୋଭନାଙ୍କୁ ପଚାରିଲେ ।
“କାହିଁ?”-ଶୋଭନା ସେମିତି ଥଟ୍ଟାରେ କହିଲେ । ନିଜର ସୁଗଠିତ ଗୋଡକୁ ଅନାଇଲେ । କିଛି ପାଣିର ବିନ୍ଦୁ ଆଉ ବାଲି ଲାଗିଛି ।
“ବାଲି ତ କାଦୁଅ ।”- ଅସୀମ କହିଲେ ।
“ଥରେ ଧୋଇଲେ ଚାଲିଯିବ ।”
“ଏମିତି ବର୍ଷା ପଡୁଥାଉ । ଆଉ ଗୋଡରୁ ବାଲି ଆପେ ଧୋଇ ହୋଇଯାଉଥାଉ ।”
ଶୋଭନାଙ୍କୁ ଏବେ ଇଚ୍ଛା ହେଉଥିଲା ସେ ଟିକେ ନାଚନ୍ତେ । ବର୍ଷାପାଣି ସମୁଦ୍ରକୂଳରେ ପଡି ତାଥେଇ ତାଥେଇ କରୁଥିଲା । ପାଣି ବି ନାଚିପାରେ । ସେମାନଙ୍କ ଛତା ଉପରେ ବର୍ଷାପାଣି ଟପ୍ଟପ୍ କରି ପଡୁଥିଲା । ପାଖ ଗଛମାନଙ୍କରୁ ପାଣି ଥପଥପ କରି ପଡୁଥିଲା ଆଉ ଯେଉଁଠି ପାଣି ବାଲି ଉପରେ ପଡୁଥିଲା ସେଇଠି ଏକ ଗୋଲ ଚିହ୍ନ ହୋଇଯାଉଥିଲା ସତେ ଯେମିତି କିଏ ଘୂରିଘୂରି ନାଚୁଛି । ବାଲିରେ ଅସଂଖ୍ୟ ଚିହ୍ନ ହୋଇଯାଉଥିଲା, ପାଣିରେ ଗୋଲ ଗୋଲ ବୃତ୍ତ ହୋଇ ଲୁଚିଯାଉଥିଲା । ବର୍ଷା କେତେ ସଙ୍ଗୀତ ଆଉ ନୃତ୍ୟ ନେଇଆସେ ମନରେ । ଅସୀମଙ୍କୁ ଲାଗୁଥିଲା ସହସ୍ର ସହସ୍ର ଦମ୍ପତ୍ତି ଯେମିତି ସମୁଦ୍ରକୂଳରେ ଘୂରିଘୂରି ଭଲ ଡ୍ୟାନ୍ସ କରୁଛନ୍ତି ।
ସେମାନେ ଅନେକ ସମୟ ସମୁଦ୍ରକୂଳରେ ଏମିତି ଚାଲିଲେ । ପବନ ପ୍ରାୟ ବୋହୁ ନଥିଲା ଆଉ ବର୍ଷାର ବଡ ବଡ ଠୋପା ଆକାଶରୁ ଝରି ପଡୁଥିଲା । ରବିବାର, ତେଣୁ ଅଫିସରେ ମଧ୍ୟ କାମ ନାହିଁ । ବେଶ କିଛି ସମୟ ବାହରେ ବୁଲାଯାଇପାରେ । ସେମାନେ ଚାଲି ଚାଲି ଜେଟ୍ଟି ପର୍ଯ୍ୟନ୍ତ ଗଲେ, ପିଚୁ ରାସ୍ତାରେ ଫେରିଲେ । ପାଖ ନାଳାରେ ପାଣି ଜୋରରେ ବୋହିଯାଉଥିଲା । ପାଣି ବୋହିଗଲାବେଳେ ଏକ ଛଳଛଳ ମଧୁର ଶବ୍ଦ ତଆରି କରେ । ବର୍ଷାର ଝଙ୍କାର ଆଉ ପାଣି ପ୍ରବାହର ସ୍ୱର ସେମାନଙ୍କ ମନରେ ସଙ୍ଗୀତର ଧ୍ୱନି ସୃଷ୍ଟି କରିଚାଲିଥିଲା । ସେମାନେ ଚାଲୁଚାଲୁ ବର୍ଷା ଉପରେ ଆଗରୁ ଲେଖାହୋଇଥିବା ସଙ୍ଗୀତସବୁର କଥା ଆଲୋଚନା କରୁଥିଲେ । କେତେ ସିନେମାରେ ବର୍ଷା ଉପରେ ଗୀତ ଲେଖାଯାଇଛି । ବର୍ଷାରେ ଭିଜିଭିଜି ନାଚିଲେ ଭଲ ଲାଗନ୍ତା । କିନ୍ତୁ ସେଇଟା ସେମାନେ କରିପାରିବେନି । କିନ୍ତୁ ପାଣିରେ ଚାଲିପାରିବେ । ସେମାନେ ଘର ଆଗର ବଡ ସବୁଜ ପଡିଆକୁ ଚାଲିଗଲେ । ସେଠି ପାଣି କିଛି ଜମା ହୋଇଥିଲା । ସେମାନେ ପାଣିରେ ଗୋଡ ବୁଡାଇ ଛୋଟ ଲହଡିମାନ କଲେ । ଅସୀମ ପାଣିକୁ ଟିକେ କିକ୍ କଲେ । ପାଣି ଉପରକୁ ଛିଟିକି ପଡିଲା । ସେମାନଙ୍କୁ ଇଚ୍ଛା ହେଉଥିଲା ଛୋଟ ଛୁଆ ହୋଇ ଖେଳୁଥାନ୍ତେ, ପାଣିରେ ନାଚି ଚାଲୁଥାନ୍ତେ ।
ଘରକୁ ସେମାନେ ପ୍ରାୟ ଓଦା ହୋଇ ଫେରିଲେ । ନିଜକୁ ନପୋଛି ବାରଣ୍ଡାରେ ବସିଲେ । ବାବୁରାଓ ଧୂଆଁ ଉଠୁଥିବା ଗରମ ଚାହା ଆଣି ଦେଇଦେଲା । ସାଙ୍ଗରେ ସେମାନେ ଗରମ ପକୋଡି ବି ଖାଇଲେ । ମଧ୍ୟାହ୍ନରେ ସ୍ୱାଦିଷ୍ଟ ଗରମ ଭୋଜନ ମିଳିଲା । ଦିନସାରା ଖୁସି ଗପ କଲେ । ବର୍ଷା ମଝିରେ ମଝିରେ ଛୋଟ ଛୋଟ ବିରତି ନେଇ ଦିନସାରା ବର୍ଷି ଚାଲିଲା । ପକ୍ଷୀମାନେ ବିରତିରେ ବାହାରକୁ ଆସି ବୁଲି ପୁଣି ବର୍ଷାବେଳେ ଚୁପଚାପ ବସି ରହିଲେ । ସେମାନଙ୍କ ବଗିଚାରେ ଫୁଲମାନ ପାଣିରେ ଧୋଇହୋଇ ସୁନ୍ଦର ଲାଗୁଥିଲା । ପତ୍ର ଫୁଲରେ ବର୍ଷା ନହେଲାବେଳେ ପାଣିର ବିନ୍ଦୁମାନ ଲାଗିରହୁଥିଲା । ସେହି ବିନ୍ଦୁ ଧୀରେ ଖସି ପଡୁଥିଲା ଆଉ କେତେ ସମୟ ପରେ ପାଣିର ବିନ୍ଦୁ ଖସି ପଡିବ ସେମାନେ ନିଜ ହିସାବରେ ଗଣୁଥିଲେ, ଘଣ୍ଟା ଦେଖୁଥିଲେ ଆଉ ନିଜର ଅନୁମାନ ଠିକ ହୋଇଗଲେ ହସି ଉଠୁଥିଲେ । ପାଣିର ଧାର କେମିତି ବୋହିବ ସେ ହିସାବ ମଧ୍ୟ କରୁଥିଲେ । ଅତି ସାଧାରଣ ଅନୁମାନ, କିନ୍ତୁ ସେତିକିରେ ସେମାନଙ୍କ ମନ ଖୁସି ହେଉଥିଲା । ଧୀରେ ସନ୍ଧ୍ୟା ହୋଇଆସିଲା । ସେମାନଙ୍କୁ ଲାଗୁଥିଲା ଦିନ ଆଉ ଟିକେ ଲମ୍ବା ହେଉ ଆଉ ଥରେ ସେମାନେ ବର୍ଷାର ପାଣିରେ ନାଚନ୍ତେ । ଅନ୍ଧାର ହୋଇ ଆସିଲେ ବର୍ଷା ପାଣିରେ ବୁଲିବାକୁ ଭଲ ଲାଗିବନି । ସେମାନଙ୍କପାଇଁ ଏକ ଖୁସିର ଖବର ଥିଲା । ସନ୍ଧ୍ୟାରେ ପ୍ରସାଦବାବୁଙ୍କ ଘରେ ନିମନ୍ତ୍ରଣ ଥିଲା । ପ୍ରସାଦବାବୁ ବେଶ ସୌଖୀନ ଲୋକ । ନିଜର ଗେଟଅପପାଇଁ ସ୍ମାର୍ଟ ଲାଗନ୍ତି । ପ୍ରାୟ ପୂରା ହାତ ଥିବା ଧଳା ସାର୍ଟ ପିନ୍ଧିଥିବେ ଆଉ ମୁଣ୍ଡରେ ଥିବ ଏକ ବାଉଁଶ କିମ୍ବା ବେତର ହ୍ୟାଟ । କଳା ନିଶ ତାଙ୍କର ଗୋରା ମୁହଁକୁ ବେଶ ମାନେ । ସବୁ କାମ କରିବାପାଇଁପ୍ରସାଦବାବୁ ଆଗଭର ରୁହନ୍ତି । ସେ ଓ୍ୟାଇଲଡ ଲାଇଫ ଏସିଏଫ ଥିଲେ । କାମ କଲାବେଳେ ସେ ଏକ ମୋଟା ଚଷମା ପିନ୍ଧନ୍ତି, ଆଉ ସିରିଅସ ଲାଗନ୍ତି ।
ପ୍ରସାଦବାବୁ ଗୀତ ଗାଇବାରେ ପାରଙ୍ଗମ ଆଉ ଘରେ ଗାନା, ବାଜଣାର ଭଲ ବନ୍ଦୋବସ୍ତ ଅଛି । ସେ ନିଜର ଖାଲି ସମୟ ଖେଳ, ବୁଲା, ମାଛଧରା ଆଉ ଗାନା ବଜଣାରେ ବ୍ୟସ୍ତ ରୁହନ୍ତି । ଜୀବନକୁ ସହଜରେ ଗଡି ଯିବାକୁ ଦିଅନ୍ତି । ତାଙ୍କ ଘରେ ସନ୍ଧ୍ୟା ମଧୁର ଭାବରେ କଟିବ । ବର୍ଷା ମଧ୍ୟ ଅଟକି ଯାଇଥିଲା । ଦୁହେଁ ପହଞ୍ôଚଲା ବେଳକୁ ଘରେ ଉଜ୍ଜ୍ୱଳ ଆଲୋକ ଜଳୁଛି, ତଳେ ଚଟାଇରେ ଏକ ଡୁବି ତାବଲା ବାଦକ ଆଉ ଏକ ହାରମୋନିଅମ ବାଦକ ନିଜ ନିଜ ବାଦ୍ୟମାନ ଧରି ବସିଯାଇଛନ୍ତି । ଡୁବି ତାବଲା ବାଦକ ନିଜର ଡୁବି ତାବଲାକୁ ଠିକ କରୁଛି, ଶବ୍ଦ ଯେମିତି ଠିକ ବାହାରିବ ସେଇଥି ପାଇଁ ଚେଷ୍ଟା କରୁଛି ।