ଅଞ୍ଚଳର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ଗ୍ରାମର ୧ ଏବଂ ୨ ନମ୍ବର ୱାର୍ଡବାସୀ ନିଜ ଗ୍ରାମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗ୍ରାମର ସେବା ସମବାୟ ସମିତିଟି ପ୍ଲଟ ନମ୍ବର ୨୭୬୩ ଏବଂ ୨୭୬୪ ଉପରେ ଅବସ୍ଥିତ । ଏହି ପ୍ଲଟ ଉପରେ ସ୍ଥାୟୀ ଗୋଦାମ ଗୃହ, ଖଳା ଏବଂ ମଣ୍ଡି ନିର୍ମାଣ ପାଇଁ ଟେଣ୍ଡର ହୋଇସାରିଛି । କିନ୍ତୁ ଦୁଃଖର ବିଷୟ ଏହି ୨୧ଡ଼ିସିମିଲ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଅକ୍ତିଆର କରି ରଖିଛନ୍ତି । ଏହାକୁ ବିରୋଧ କରି ଗ୍ରାମବାସୀ ଗତ ବର୍ଷ ଜୁଲାଇ ୨୯ ତାରିଖ ଦିନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଦ୍ୟାବଧି ଜମି ଉଚ୍ଛେଦୀକରଣ ହୋଇପାରିଲା ନାହିଁ । ସେହିପରି ଏ ନେଇ ଗ୍ରାମବାସୀ ପୌରାକାର୍ଯ୍ୟ ନିର୍ବାହୀ ଅଧିକାରୀ, ତହସିଲଦାରଙ୍କ ସମେତ ଉପଜିଲ୍ଲାପାଳଙ୍କୁ ମଧ୍ୟ ନିୟମିତ ବ୍ୟବଧାନରେ ଅବଗତ କରାଉଛନ୍ତି । ତେବେ କିଛି ନିଷ୍କର୍ଷ ନ ବାହାରିବାରୁ ଆଜି ପୁଣି ଥରେ ଚାଷୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ପଦ୍ମପୁର ସ୍ଥିତ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ୪୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଗତ ଏପ୍ରିଲ ମାସରୁ ପ୍ରଧାନଶିକ୍ଷକ ପଦ ଖାଲି ପଡିଛି । ଅନୁରୂପ ଭାବେ ପିଅନ ପଦବୀ ମଧ୍ୟ ଦୀର୍ଘଦିନ ଧରି ଖାଲି ପଡିଛି । ସେହିପରି ବିଦ୍ୟାଳୟର ଦକ୍ଷିଣ ପାର୍ଶ୍ୱରେ ଥିବା ପାଚେରୀ ମୂଳରୁ ୧୫ ଫୁଟରୁ ଅଧିକ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ଏହି ପାଚେରୀର ସୁରକ୍ଷା ପାଇଁ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ର ପ୍ରଦାନ ସମୟରେ ଅକ୍ଷୟ କୁମାର ସାମଲ, ମହେଶ୍ୱର ବେହେରା, ରାକେଶ କୁମାର ସାହୁ, ସନ୍ତୋଷ କୁମାର ସାହୁ, ରାଜେସ ସାହୁ, ଚନ୍ଦନ ବେହେରା, ଦୀପକ କୁମାର ସାହୁ, ସୁଦର୍ଶନ ସାହୁ, ନିରଞ୍ଜନ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।