ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣରେ ଅନିୟମିତତା : ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି 

 ଖଣ୍ଡପଡ଼ା :  ଖଣ୍ଡପଡ଼ା ବ୍ଲକ ଅଧିନ ବୋଦସା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଡିପାର୍ଟମେଣ୍ଟାଲ ଭାବେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡିଛି । କୋଠା ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନରେ ସିମେଣ୍ଟ କଂକ୍ରିଟ ଖମ୍ବ ନିର୍ମାଣ କାର୍ଯ୍ୟ ପ୍ରଥମେ ଆରମ୍ଭ ହୋଇଛି । ସେଣ୍ଟ୍ରିଂ ଫ୍ରେମ ବଦଳରେ ମାଟି ଇଟା ସିମେଣ୍ଟ କଂକ୍ରିଟ ଖମ୍ବ ଚତୁଃପାଶ୍ୱର୍ରେ ଥୋଇ ଯେଉଁ ଭଳି ଭାବେ କାର୍ଯ୍ୟ କରାଯାଉଛି ନିର୍ମାଣଧୀନ କୋଠାର ସ୍ଥାୟୀତ୍ୱ ନେଇ ପଞ୍ଚାୟତବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସିମେଣ୍ଟ କଂକ୍ରିଟ ଖମ୍ବ ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ୟରେ ନିୟୋଜିତ ଠିକାଦାର ଭାଇବ୍ରେଟର ମେସିନ ବ୍ୟବହାର କରୁନଥିବା ଅଭିଯୋଗ ହେଉଛି ।
 ଫଳରେ ବର୍ଷାଦିନେ ନିର୍ମାଣଧୀନ ସିମେଣ୍ଟ କଂକ୍ରିଟ ଖମ୍ବ ଗୁଡିକ ଦୁର୍ବଳ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ନୂତନ କୋଠା ନିର୍ମାଣରେ ହେଉଥିବା ଅନିୟମିତତା ପ୍ରତି ଖଣ୍ଡପଡ଼ା ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ବୋଦସା ପଞ୍ଚାୟତବାସୀ ଦାବି କରିଛନ୍ତି ।