ଭସାଣି ଭୋଜିରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ; ୩ ଗିରଫ

ଭସାଣି ଭୋଜିରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ; ୩ ଗିରଫ

  • ଭୁବନେଶ୍ୱର, ୧୨ା୯ : ଗଣେଶ ପୂଜା ଭସାଣି ପରେ କ୍ଲବରେ ଭୋଜି ଚାଲିଥିବା ବେଳେ, ପଡୋଶି ଲୋକଙ୍କୁ ଖାଇବାକୁ ଡାକି ସେଠାରେ ବାପ ଓ ପୁଅକୁ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ । ଏହାକୁ ନେଇ ବିରୋଧ କରିବାରୁ ମହିଳାଙ୍କୁ ମଧ୍ୟ ମାଡ ଓ ଲୁଗାଟାଣି ଅସଦାଚରଣ । ଖବର ପାଇ ଭରତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ନାକାଗେଟ୍ ଚଲାସାହି ବସ୍ତିର ପ୍ରଶାନ୍ତ ନାୟକ, ସୁଶାନ୍ତ ନାୟକ ଓ ଭାଗବତ ନାୟକ ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ନିଜ ପରିବାର ସହ ଭରତପୁର ଥାନା ଅନ୍ତର୍ଗତ ଚଲାସାହି ବସ୍ତିରେ ଭଡାରେ ରୁହନ୍ତି । ଗତ କାଲି ବିଳମ୍ବିତ ରାତିରେ ଗଣେଶ ପୂଜା ଭସାଣି ଅବସରରେ ଉକ୍ତ ବସ୍ତିରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ଉକ୍ତ ଭୋଜିରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ତିନି ଅଭିଯୁକ୍ତ ତାଙ୍କର ଅନ୍ୟ ଜଣେ ଭାଇ ଏବଂ ବାପା ମିଶି ଭୋଜି ସ୍ଥଳରେ ପହଞ୍ଚି ସେଠାରେ ମିଶିଥିଲେ । ହେଲେ ଭୋଜି କରୁଥିବା ସମସ୍ତ ସଦସ୍ୟ ମାନଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ଅଭିଯୁକ୍ତଙ୍କୁ ଗାଲି ଗୁଲଜ କରିବାକୁ ବାରଣ କରିଥିଲେ । ଏତିକି ବେଳେ ୩ ଅଭିଯୁକ୍ତ ହଠାତ ତାଙ୍କୁ ଏକ କାଠଫାଳିଆରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏହି ପାଟି ସୁଣି ଅଭିଯୋଗକାରିଣୀ ଘରୁ ଦୌଡ଼ି ଆସି ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା ବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ । ଏହି ଖବର ଭରତପୁର ଥାନାର ପେଟ୍ରୋଲିଂ ଟିମ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ପଠାଇଥିଲା । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।