ନାବାଳିକା କୁକର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ
କେନ୍ଦୁଝର : କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଏକ କୁକର୍ମ ମାମଲାର ଶୁଣାଣି କରି ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ପୀଡିତା ତାଙ୍କ ସାଙ୍ଗ ସହିତ ୧୭/୦୪/୨୦୨୦ ସନ୍ଧ୍ୟା ୫ଟା ୪୦ମିନିଟରେ ଘର ବାହାରେ ଥିବା ଏକ ପିକ୍ଅପ ଭ୍ୟାନ ଡାଲାରେ ଖେଳୁଥିଲେ । ଏହି ସମୟରେ ଦୋଷୀ ଗୁଲସନ ମହାକୁଡ(୨୦) ଏହି ରାସ୍ତାରେ ଯାଉଥିବାବେଳେ ପୀଡିତାକୁ ଓହ୍ଲାଇ ଦେବା ବାହାନାରେ ଚୁମା ଦେବା ସହିତ ତାକୁ ଅସଦାଚରଣ କରିଥିଲା । ୫ବର୍ଷର ନାବାଳିକା ଜଣକ କାନ୍ଦିବାରୁ ତାର ଜେଜେ ମା’ ସେଠାରେ ପହଁଚିଥିଲା । ଜେଜେ ମା’ ପହଁଚିବା ପରେ ଗୁଲସନ ସେଠାରୁ ଦୌଡି ପଳାଇଥିଲା । ପୀଡିତା ନାବାଳିକା କାନ୍ଦିକାନ୍ଦି ଘଟଣା ସଂପର୍କରେ ଜେଜେ ମା’କୁ ସବୁକଥା କହିଥିଲା । ତା’ର ଜେଜେ ମା’ ଘଟଣା ସମ୍ପର୍କରେ ନାବାଳିକାଙ୍କ ମା’ କୁ ଜଣାଇଥିଲା । ତାଙ୍କ ମା’ ଏହି ଘଟଣା ନେଇ ଗୁଲସନ ମହାକୁଡର ମା’କୁ ଜଣାଇଥିଲେ । ଦୋଷୀ ଗୁଲସନଙ୍କ ଘରକୁ ପୀଡିତାର ବାପା ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ । ତେବେ ସେଠାରେ ଗୁଲସନ ଏବଂ ତାଙ୍କ ପରିବାର ଲୋକ ପୀଡିତାଙ୍କ ବାପାଙ୍କୁ ଗାଳିଗୁଳଜ କରିଥିଲେ । ପୀଡିତାଙ୍କ ବାପା ସେଠାରୁ ଚାଲି ଆସି ଝୁମ୍ପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଝୁମ୍ପୁରା ଥାନା ପୁଲିସ ଅଭିଯୋଗ ଗ୍ରହଣ କରି କେସ ନମ୍ବର ୪୭/୨୦୨୦ରେ ମାମଲା ରୁଜୁ କରି ଗୁଲସନ ମହାକୁଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୩ ଜଣ ସାକ୍ଷୀ ଏବଂ ପୁଲିସ ତଦନ୍ତ ରିପୋର୍ଟ କୁ ଭିତ୍ତି କରି ଏଡିଜେ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ମୋନାଲିସା ମହାନ୍ତି ଦୋଷୀ ଗୁଲସନ ମହାକୁଡଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩ ହଜାର ଟଙ୍କାର ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଆଉ ଏକ ବର୍ଷ ଜେଲ ଦଣ୍ଡ ଆଦେଶ କରିଥିଲେ । ଏଥିସହ ପୀଡିତାକୁ ୭ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପକ୍ସୋ କୋର୍ଟର ପିପି ଗଶେଷ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।