ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗଠନ ପାଇଁ ମାର୍ଗଦର୍ଶିକା
ବୁଗୁଡ଼ା : ଓଡିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍କୁଲ ଉନ୍ନୟନ କମିଟିକୁ ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ନୂତନ ନିଷ୍ପତ୍ତିକୁ ନେଇ ଶିକ୍ଷକ ସମାଜ ଓ ଶିକ୍ଷକ ସଂଗଠନ ଖୁସି ବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଏଣିକି ସ୍କୁଲରେ ଯିଏ ପ୍ରଧାନଶିକ୍ଷକ ରହିବେ ସେ ହିଁ ପରିଚାଳନା କମିଟିର ଅଧ୍ୟକ୍ଷ ବା ମୁଖ୍ୟ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସ୍କୁଲ କମିଟିର ଅଧ୍ୟକ୍ଷ ଶିକ୍ଷକ-ଅଭିଭାବକ ସଂଘର ଦ୍ୱାରା ମନୋନୀତ ସଦସ୍ୟଙ୍କ ଦ୍ୱାରା ନିର୍ବାଚନ ହେଲା ଭଳି ବ୍ୟବସ୍ଥା ଥିବାବେଳେ ଏବେ ଏଥିରେ ପରିବର୍ତ୍ତନ ଅଣାଯାଇଛି । ନୂତନ ନିୟମ ପ୍ରକାରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଧାନଶିକ୍ଷକ ରହିଥିବା ବେଳେ ଅବାହକ ରହିବେ ଜଣେ ସହକାରୀ ଶିକ୍ଷକ । ଏସ୍ଏମ୍ସି ଏବଂ ଏସ୍ଏମ୍ଡିସି ପାଇଁ ଭିନ୍ନ ଭିନ୍ନ ଗାଇଡ୍ ଲାଇନ୍ ଆସିଛି । ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟ ପାଇଁ ଗଠିତ କମିଟିରେ ୧୫ ଜଣ ସଦସ୍ୟ ରହିବେ । ଶିଶୁବାଟିକାରୁ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ ସକାଶେ ଗଠିତ କମିଟିରେ ୧୭ ଜଣ ସଦସ୍ୟ ରହିବେ । ସେହିପରି ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ନିମନ୍ତେ ଗଠିତ କମିଟିରେ ୨୫ ଜଣ ସଦସ୍ୟ ଏବଂ କେବଳ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଥିବା ବିଦ୍ୟାଳୟରେ ୨୨ ଜଣ ସଦସ୍ୟଙ୍କୁ ନେଇ ଏସ୍ଏମସି ଗଠନ କରାଯିବାର ବ୍ୟବସ୍ଥା ରହିଛି । ଏ ସମସ୍ତ ବର୍ଗର ସ୍କୁଲଗୁଡିକରେ ଗଠିତ କମିଟିରେ ସ୍କୁଲର ପ୍ରଧାନଶିକ୍ଷକ ଅଧକ୍ଷ ଓ ସହକାରୀ ଶିକ୍ଷକ ଆବାହକ ରହିବେ ଏବଂ ଅଧ୍ୟୟନରତ ଷ୍ଟୁଡେଣ୍ଟ, ବିଦ୍ୟାର୍ଥୀଙ୍କ ପିତାମାତା, ସ୍ୱାସ୍ଥ୍ୟ କର୍ମୀ କିମ୍ବା ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ୱାର୍ଡମେମ୍ବର କିମ୍ବା କାଉନସିଲର କିମ୍ବା କର୍ପୋରେଟର ବି ସଦସ୍ୟ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ନୀତିନିୟମ ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି । ତେବେ ଏହି ମାର୍ଗଦର୍ଶିକା ଶିକ୍ଷାୟତନର ବିକାଶ ଦିଗରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ